ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ
ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍ ଧକ୍କାରେ ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଡ୍ରାଇଭରଙ୍କ ସମେତ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି ।
ଯାତ୍ରୀଙ୍କୁ ନେଇ ବାଲୁଗାଁରୁ ପଥରା ଗାଁକୁ ଫେରୁଥିବା ବେଳେ ଜଳି ଶଙ୍ଖ ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଧକ୍କା ଏତେ ଜୋରଦାର ଥିଲା ଯେ, ରାସ୍ତା ଉପରେ ଅଟୋଟି ଓଲଟି ପଡ଼ିଥିଲା । ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆହତଙ୍କ ମଧ୍ୟରେ ୪ ଜଣ ନାବାଳିକା ଓ ନାବାଳକ ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ଗୁରୁତର ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ସେପଟେ ଦୁର୍ଘଟଣାରେ ମୃତକ ଜଣକ ରମ୍ଭା ଅଞ୍ଚଳର କେ. ଚିନା ରାଓ ବୋଲି ଜଣାପଡ଼ିଛି । ଘଟଣା ପରେ ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରିଥିବା ବେଳେ, ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି । ଫେରାର ଡ୍ରାଇଭରଙ୍କୁ ଧରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।