ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

Sep 12, 2026 - 23:32
ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟପାଟ୍‌ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଦୟାନିଧି ଦାଶଙ୍କ ସପରିବାର ବସ୍ତା ଥାନା ଅର୍ନ୍ତଗତ ସଦାନନ୍ଦପୁରରେ ରହୁଥିବା ଝିଅ ଘରକୁ ବୁଲିବାକୁ ଯାଇଥିଲେ। ଏନେଇ ଦୟାନିଧି ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ରାତିରେ ତାଙ୍କ ଘରେ ଶୋଇବାକୁ ଦାୟିତ୍ୱ ଦେଇଥିଲେ। ହେଲେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବକ୍ତି ଜଣକ ଶୋଇବାକୁ ଆସିବା ବେଳକୁ ଘର ମୁଖ୍ୟ ଦ୍ବାରର ତାଲା ଭଙ୍ଗା ଯାଇଥିବା ଏବଂ ଭିତରେ ସବୁ ଘର ଖୋଲା ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

ଖବରପାଇ ତାଙ୍କ ଜ୍ବାଇଁ ଅଂଶୁମାନ ତ୍ରିପାଠୀ ପହଞ୍ଚିପୋଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସବ୍‌ ଇନ୍ସପେକ୍ଟର ଅଶୋକ କୁମାର ପାତ୍ର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୁର୍ବୃତ୍ତମାନେ ଘରେ ଥିବା ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଶନିବାର ବାରିପଦାରୁ ଫରେନସିକ ଟିମ ଏବଂ Dog Squad ପହଞ୍ଚି ଘଟଣାର ଛାନଭିନ କରିଥିଲେ ହେଁ କୌଣସି ସୁରାକ ମିଳିପାରି ନାହିଁ। ଏ ନେଇ ପୋଲିସ ଏକ୍‌ ମାମଲା(ନଂ.୪୬୫/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।