ଟୁଇନ୍ ସିଟିରେ କଡ଼ାକଡ଼ି ହେଲା NBW ଡ୍ରାଇଭ୍, ଅମାନିଆଠାରୁ ଅପରାଧୀ—କାହାରିକୁ ତ୍ରାହି ନାହିଁ
ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ ଆକ୍ସନ୍ ମୋଡ୍ରେ କମିଶନରେଟ୍ ପୋଲିସ। ସ୍ପେଶାଲ୍ ଡ୍ରାଇଭ୍ରେ ହାର୍ଡକୋର୍ ଅପରାଧୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଥିବା ବେଳେ, ନିୟମିତ ହାଜିରା ନଦେଉଥିବା ଅଭିଯୁକ୍ତଙ୍କ ଉପରେ ମଧ୍ୟ କଡ଼ା ନଜର ରହିଛି। ହାଜିରା ନଦେଲେ ହାତରେ ପଡ଼ିପାରେ ହାତକଡ଼ି। ଅଭ୍ୟାସଗତ ଅପରାଧୀ, ଚୋରି, ରାହାଜାନି ଓ ଗଣ୍ଡଗୋଳରେ ସମ୍ପୃକ୍ତ ଦାଗୀଙ୍କ ସମେତ ହାର୍ଡକୋର୍ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏକାଧିକ ଅପରାଧୀଙ୍କୁ ତଡ଼ିପାର କରାଯାଇଥିବା ବେଳେ, ଆହୁରି ପ୍ରାୟ ୩୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି। କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ NSAରେ ବୁକ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସ ଓ ସ୍ପେଶାଲ୍ ଟାସ୍କ ଫୋର୍ସ ପକ୍ଷରୁ ଅଭିଯାନ ଚାଲିଥିବା ବେଳେ, ଟୁଇନ୍ ସିଟିରେ ମଧ୍ୟ ଏହାକୁ ଜୋରଦାର କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
କମିଶନରେଟ୍ ପୋଲିସର ଏହି କ୍ଲିନ୍ ସୁଇପ୍ ଅପରେସନ୍ରେ ନିଶା ମାଫିଆମାନେ ମଧ୍ୟ ଟାର୍ଗେଟ୍ରେ ଅଛନ୍ତି। ନିଶାଦ୍ରବ୍ୟ ବିକ୍ରି କରି ନିଜର ପତିଆରା ଦେଖାଉଥିବା ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି। ପାର୍ବଣ ପୂର୍ବରୁ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରୋକିବା ପାଇଁ ଚଢ଼ାଉ ମଧ୍ୟ ଜାରି ରହିଛି।
ସେହିପରି ଦାଦାବଟି କିମ୍ବା ପୂଜା ଚାନ୍ଦା ନାଁରେ ଜୋରଜବରଦସ୍ତି ଟଙ୍କା ମାଗିଲେ ତୁରନ୍ତ ୧୧୨କୁ କଲ୍ କରିବାକୁ ପୋଲିସ ପକ୍ଷରୁ ଅପିଲ୍ କରାଯାଇଛି। ଖଟି ସ୍ଥାନରେ ଉପଦ୍ରବ ରୋକିବା ସହ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏହାସହ ସହରରେ ଟ୍ରାଫିକ୍ ସମସ୍ୟା ଉପରେ ନଜର ରଖିବା ସହ ଏନ୍ଫୋର୍ସମେଣ୍ଟକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପାର୍ବଣ ସମୟରେ ଟୁଇନ୍ ସିଟିରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି ସ୍ପେଶାଲ୍ ଡ୍ରାଇଭ୍ ଜାରି ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।