ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

Sep 29, 2026 - 08:03
ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ ଅନୁଧ୍ୟାନ କାର୍ଯ୍ୟକ୍ରମ (ଜେଏମ୍‌ପି) ରିପୋର୍ଟରୁ ଏହା ଜଣାପଡ଼ିଛି ।
୨୦୨୫ରେ ସାରା ବିଶ୍ୱର ୨୪.୪ କୋଟି ପିଲା ସ୍କୁଲରେ ପରିମଳ ସେବା ପାଇ ନ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ କୋଟି ଭାରତର ବୋଲି ‘୨୦୧୫ରୁ ୨୦୨୫ ମଧ୍ୟରେ ସ୍କୁଲଗୁଡ଼ିକରେ ପାନୀୟଜଳ, ପରିମଳ ଓ ସୁସ୍ଥତାରେ ଅଗ୍ରଗତି’ ରିପୋର୍ଟରେ କୁହାଯାଇଛି। ଉପରୋକ୍ତ ସମୟ ମଧ୍ୟରେ ପରିମଳ ସେବା ଉପଲବ୍ଧ ନ ଥିବା ସ୍କୁଲ ସଂଖ୍ୟା ଭାରତରେ ୧୪ ପ୍ରତିଶତ ହ୍ରାସ ପାଇଛି ।
ସ୍ଥାୟୀ ବିକାଶ ପାଇଁ ୨୦୩୦ ଏଜେଣ୍ଡାରେ ଜଳ, ପରିମଳ ଓ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ଲକ୍ଷ୍ୟକୁ ସାମିଲ କରାଯାଇଛି। ଲକ୍ଷ୍ୟ-୪ର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାବେଶୀ ଓ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଏବଂ ଜୀବନବ୍ୟାପୀ ଶିକ୍ଷାକୁ ପ୍ରୋତ୍ସହିତ କରିବା। ଏଥିରେ ଶିଶୁ ଅନୁକୂଳ, ଦିବ୍ୟାଙ୍ଗ ଅନୁକୂଳ ଏବଂ ଲିଙ୍ଗଗତ ସମ୍ବେଦନଶୀଳ ଶିକ୍ଷାନୁଷ୍ଠାନ ନିର୍ମାଣ ବା ଉନ୍ନୀତ କରିବା ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ପ୍ରଭାବଶାଳୀ ଶିକ୍ଷା ପରିବେଶ ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଏଥିରେ ରହିଛି ସବୁ ସ୍କୁଲକୁ ବିଦ୍ୟୁତ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଭିନ୍ନକ୍ଷମ ପିଲାଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି ଓ ସାମଗ୍ରୀ ଏବଂ ମୌଳିକ ପାନୀୟଜଳ, ପରିମଳ ଓ ସୁସ୍ଥତା ସେବା। ସମସ୍ତଙ୍କ ପାଇଁ ଜଳ ଓ ପରିମଳ ଉପଲବ୍ଧ ଓ ସ୍ଥାୟୀ ପରିଚାଳନା ଲକ୍ଷ୍ୟ-୬ର ଉଦ୍ଦେଶ୍ୟ। ଏଥିରେ ପ୍ରଗତି ସତ୍ତ୍ୱେ ୨୦୨୫ରେ ୨୪.୪ କୋଟି ପିଲା ସେମାନଙ୍କ ସ୍କୁଲରେ ପରିମଳ ସେବାରୁ ବଞ୍ଚତ୍ତ ଅଛନ୍ତି। ସେଥିରୁ ଭାରତର ୫ କୋଟି ହୋଇଥିବାବେଳେ ନାଇଜେରିଆର ୩.୪ କୋଟି, ଇଥିଓପିଆର ୨.୬ କୋଟି, କଙ୍ଗୋର ୧.୧ କୋଟି ଏବଂ ଇଣ୍ଡୋନେସିଆର ୮୦ ଲକ୍ଷ ପିଲା ରହିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।