ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

Sep 11, 2026 - 07:46
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୪ ପଇସା ହ୍ରାସ ପାଇ ୯୫.୫୨ ଟଙ୍କାରେ ବନ୍ଦ ହୋଇଛି । ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କା ଡଲାର ତୁଳନାରେ ୯୫.୧୫ ଟଙ୍କାରେ ଖୋଲିଥିଲା। ତେବେ କାରବାର ଶେଷ ସୁଦ୍ଧା ଏହା ଅଧିକ ହ୍ରାସ ପାଇ ୯୫.୫୨ ଟଙ୍କାରେ ପହଞ୍ଚିଥିଲା। ପୂର୍ବ କାରବାର ଦିବସ (ବୁଧବାର)ରେ ଟଙ୍କା ୩୪ ପଇସା ହ୍ରାସ ପାଇ ୯୫.୦୮ ଟଙ୍କାରେ ବନ୍ଦ ହୋଇଥିଲା।
କୋଟାକ ସିକ୍ୟୁରିଟିଜ୍‌ର ଗବେଷଣା ମୁଖ୍ୟ ଅନିନ୍ଦ୍ୟ ବାନାର୍ଜୀଙ୍କ କହିବା ଅନୁଯାୟୀ, ଟଙ୍କାର ଏହି ମୂଲ୍ୟହ୍ରାସ ଡଲାର ମଜଭୁତ ପାଇଁ ନୁହେଁ, ବରଂ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଘଟିଛି। ଜୁଲାଇ ଓ ଅଗଷ୍ଟରେ ସକାରାତ୍ମକ ପ୍ରବାହ ପରେ ଚଳିତ ମାସରେ ପୁଣି ଥରେ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ସକ୍ରିୟ ହସ୍ତକ୍ଷେପ, ସୁଦୃଢ଼ ଆଭ୍ୟନ୍ତରୀଣ ଅଭିବୃଦ୍ଧି ଏବଂ ୭୪୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ରେକର୍ଡ ବୈଦେଶିକ ମୁଦ୍ରା ଗଚ୍ଛିତ ଭଣ୍ଡାର ଟଙ୍କାକୁ ଅଧିକ ହ୍ରାସ ପାଇବାରୁ ରକ୍ଷା କରୁଛି।
ବଜାରର ଅନ୍ୟାନ୍ୟ ସ୍ଥିତିକୁ ଦେଖିଲେ ବ୍ରେଣ୍ଟ କ୍ରୁଡ୍‌ ବ୍ୟାରେଲ ପିଛା ୧.୨୮% ବୃଦ୍ଧି ପାଇ ୧୦୨.୫୧ ଡଲାରରେ ପହଞ୍ଚିଛି। ସେହିପରି ୬ଟି ମୁଖ୍ୟ ମୁଦ୍ରା ତୁଳନାରେ ଡଲାର ଇଣ୍ଡେକ୍ସ ୯୮.୮୧ ପଏଣ୍ଟରେ ରହିଛି। ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଗୁରୁବାର ୪୩୮.୨୪ କୋଟି ଟଙ୍କାର ଶେୟାର ବିକ୍ରି କରିଛନ୍ତି। ହେଲେ ଭାରତୀୟ ଶେୟାର ବଜାର କଥା ଦେଖିଲେ, ସେନ୍‌ସେକ୍ସ ୧୩୮.୩୬ ପଏଣ୍ଟ ବୃଦ୍ଧି ପାଇ ୭୪,୯୦୨.୫୯ରେ ଏବଂ ନିଫ୍ଟି ୪୬.୩୦ ପଏଣ୍ଟ ବୃଦ୍ଧି ସହ ୨୩,୪୭୭.୮୦ରେ ବନ୍ଦ ହୋଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।