ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

Sep 10, 2026 - 23:42
ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ସୁନା, ରୂପା ଓ ମୂଲ୍ୟବାନ ରତ୍ନର ଗଣତି କାର୍ଯ୍ୟ ଶେଷ ହେବା ପରେ, ସେଗୁଡ଼ିକର କୌଣସି ବିବରଣୀ ସାର୍ବଜନୀନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରତ୍ନଭଣ୍ଡାରର ପ୍ରତ୍ୟେକଟି ଅଳଙ୍କାର ଓ ମୂଲ୍ୟବାନ ଦ୍ରବ୍ୟର ଗଣତି-ମଣତି କରାଯାଇ ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନ୍ (Digitization) କରାଯାଇଛି। ୩ଡି ସ୍କାନିଂ, ହାଇ-ରିଜୋଲ୍ୟୁସନ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମାଧ୍ୟମରେ ପ୍ରତ୍ୟେକ ଗହଣାର ଆକାର, ଓଜନ, ଗଠନ ଓ ରତ୍ନର ବିବରଣୀକୁ ଏକ ସୁରକ୍ଷିତ ଡିଜିଟାଲ ଡାଟାବେସ୍‌ରେ ସଂରକ୍ଷିତ କରି ରଖାଯାଇଛି।

ସୁରକ୍ଷା ଦୃଷ୍ଟିକୋଣରୁ ଏବଂ ଶ୍ରୀମନ୍ଦିରର ପରମ୍ପରାକୁ ଦୃଷ୍ଟିରେ ରଖି ଏହି ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ସାଧାରଣରେ ପ୍ରକାଶ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଗଣତି ପ୍ରକ୍ରିୟା ସମୟରେ ୧୯୭୮ ମସିହାରେ ହୋଇଥିବା ପୁରୁଣା ତାଲିକା ସହ ବର୍ତ୍ତମାନର ଅଳଙ୍କାରଗୁଡ଼ିକୁ ମିଳାଯାଇ ଦେଖାଯାଇଛି।

ସ୍ୱଚ୍ଛତା ଓ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଏହି ଗଣତି କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଦୋହରାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।