ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ: ୩୨ ବର୍ଷ ପରେ ବି ବଦଳିଲାନି ଭାଗ୍ୟ
କାଏମା, ୫ା୧୧(ଶିବ ପ୍ରସାଦ ମହାନ୍ତି): ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଅନେକ ସରକାରୀ ବିଦ୍ୟାଳୟରେ ବାସ୍ତବ ଚିତ୍ର ଭିନ୍ନ କାହାଣୀ ବଖାଣୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ୧୯୯୪ ଜାନୁଆରୀ ୨୯ରେ ସ୍ଥାପିତ ଏହି ବିଦ୍ୟାଳୟକୁ ଇତିମଧ୍ୟରେ ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ। ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ମୋଟ ୬ଶ୍ରେଣୀର ପିଲା ଏକମାତ୍ର ଶ୍ରେଣୀଗୃହରେ ବସି ପଢ଼ୁଛନ୍ତି। ଏଭଳି ସ୍ଥିତିରେ ଭିନ୍ନ ଭିନ୍ନ ଶ୍ରେଣୀର ପିଲାଙ୍କୁ କିପରି ଗୁଣାତ୍ମକ ଶିକ୍ଷା ଦିଆଯାଉଛି, ତାହା ସହଜରେ ଅନୁମେୟ।
ବିଦ୍ୟାଳୟରେ ନିୟମିତ ପ୍ରଧାନଶିକ୍ଷକ ନାହାନ୍ତି। ବିଷ୍ଣୁ ପ୍ରସାଦ ସେଠୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକଭାବେ ଦାୟିତ୍ୱ ତୁଲାଉଛନ୍ତି। ସହକାରୀ ଶିକ୍ଷକ ସଦାନନ୍ଦ ହୋତା ଡେପୁଟେଶନରେ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଅଫିସ କାର୍ଯ୍ୟାଳୟ ନଥିବାରୁ ଶ୍ରେଣୀଗୃହରେ ତିନୋଟି ଆଲମିରା ରଖି ସେଥିରେ ସ୍କୁଲ କାଗଜପତ୍ର ରଖାଯାଉଥିବାବେଳେ ସେହିଠାରେ ହିଁ ପଢ଼ାଯାଉଛି। ଶ୍ରେଣୀଗୃହ ସମସ୍ୟାର ସମାଧାନ ପାଇଁ ପ୍ରାୟ ୩ ବର୍ଷ ପୂର୍ୱେ ଏକ ନୂତନ କୋଠରି ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ପ୍ଲିନ୍ଥ ପତନରୁ କିଛି ଉପରକୁ ଉଠିବା ପରେ ନିର୍ମାଣ କାର୍ଯ୍ୟ ଅଟକି ରହିଛି।
ସେହିପରି ବିଦ୍ୟାଳୟ ପାଚେରିରେ ରଙ୍ଗ ଦିଆଯିବା ସହ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ମଧ୍ୟ ଠିକ୍ଭାବେ କାର୍ଯ୍ୟ କରୁନାହିଁ। ଫଳରେ ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଛି। ପାନୀୟ ଜଳ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍ ଭାବେ କାମ କରୁନାହିଁ। ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ଏକ ଘର ରହିଛି। ହେଲେ ପିଲାମାନଙ୍କ ବସି ଖାଇବା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଫଳରେ ବିଦ୍ୟାଳୟ ବାରଣ୍ଡା ଓ ଖୋଲା ସ୍ଥାନରେ ବସି ପିଲାମାନେ ଖାଉଛନ୍ତି। ଏଥିପାଇଁ ବର୍ଷାଦିନେ ପିଲାମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପିଲାଙ୍କ ଖେଳକୁଦ ପାଇଁ ଖେଳପଡ଼ିଆ ନାହିଁ। ଫଳରେ କୁନି ପିଲାମାନେ ଖେଳିବା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ଲଗାଣ ବର୍ଷା ଓ ବନ୍ୟା ବେଳେ ବିଦ୍ୟାଳୟ ପରିସର ଏବଂ ସମ୍ମୁଖ ରାସ୍ତାରେ ପାଣି ମାଡ଼ି ଆସିବାରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଚଳିତବର୍ଷ ବନ୍ୟା ସମୟରେ ପ୍ରାୟ ୨୦ଦିନ ଧରି ବିଦ୍ୟାଳୟ ଭିତରେ ପାଣି ଜମି ରହିବାରୁ ପିଲାଙ୍କ ପାଠପଢ଼ା ସମ୍ଭବ ହୋଇପାରି ନ ଥିଲା। ନିକଟସ୍ଥ ପାଲା ମଣ୍ଡପରେ ପିଲାମାନଙ୍କୁ ଶିକ୍ଷାଦାନ କରାଯାଇଥିଲା। ବିଦ୍ୟାଳୟର ଏଭଳି ଦୁରବସ୍ଥା ଦେଖି ଅନେକ ଅଭିଭାବକ ନିଜ ପିଲାଙ୍କୁ ଏଠାରେ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସ୍କୁଲର ଶ୍ରେଣୀଗୃହ ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମିନା ପରିଡ଼ା ଶ୍ରେଣୀଗୃହ ଅଭାବ ସହ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ଥିବା କହିଛନ୍ତି। ସମସ୍ୟା ସମାଧାନ ହେଉ ନ ଥିବାରୁ ଗାଁର ଅନେକ ପରିବାର ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଉଥିବା ସେ କହିଛନ୍ତି। ଜିଲା ପ୍ରଶାସନ, ଶିକ୍ଷା ବିଭାଗ ଓ ସ୍ଥାନୀୟ ବିଧାୟକ ତୁରନ୍ତ ଏହି ସ୍କୁଲର ସମସ୍ୟା ସମାଧାନ ଦିଗରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପଟୁଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ବୈଶାଳୀ ରାଉତଙ୍କୁ ପଚାରିବାରୁ ପଞ୍ଚାୟତ ସମିତି ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଉଥିଲା। ପ୍ରାୟ ୪ଲକ୍ଷ ଟଙ୍କାର କାମ ହୋଇଛି। ନୂତନ ଅନୁଦାନ ଆସିଲେ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରୁ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାମ ଶେଷ କରିବା ପାଇଁ ସେ ଜିଲାପାଳଙ୍କୁ ଚିଠି କରି ଅବଗତ କରିବେ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।