ଡ୍ରେନ୍ରେ ପଡ଼ିଥିବା ପୁଅକୁ ଖୋଜିବା ପାଇଁ ବାପା ହାତରେ ଅଳିଆ ହଟାଇଲେ, ୪ ଦିନ ପରେ ମିଳିଲା ମୃତଦେହ
ନୂଆଦିଲ୍ଲୀ: ଦିଲ୍ଲୀର ଜସୋଲା ଅଞ୍ଚଳରେ ଗୁଡ଼ି ଉଡ଼ାଉଥିବା ବେଳେ ଖୋଲା ଡ୍ରେନ୍ରେ ପଡ଼ିଯାଇଥିବା ୧୫ ବର୍ଷୀୟ ମିଥୁନଙ୍କ ମୃତଦେହ ପ୍ରାୟ ୪ ଦିନ ପରେ ମଙ୍ଗଳବାର ମିଳିଛି। ତେବେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବାପା ଦିଲ୍ଲୀର ଅଳିଆଗଦା ଭିତରେ ହାତ ପୁରାଇ ନିଜ ପୁଅକୁ ଖୋଜିବାର ଉଦ୍ୟମ ଏବଂ ଆଉ ତାଙ୍କର ସେହି ବିଶ୍ବାସ ‘ ଏହି ଅଳିଆ ହଟିଗଲେ ମୋ ପୁଅ ମିଳିଯିବ’ ବାସ୍ତବରେ ଖୁବ୍ ହୃଦୟ ବିଦାରକ। ଅଗଷ୍ଟ ୨୨ ତାରିଖର ଘଟଣା ପରଠାରୁ ମିଥୁନଙ୍କୁ ଖୋଜିବା ପାଇଁ ଏକାଧିକ ସଂସ୍ଥାର ମିଳିତ ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ଏହି ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (ଏମ୍ସିଡି) ଦ୍ୱାରା ରକ୍ଷଣାବେକ୍ଷଣ ହେଉଥିବା ଏହି ଡ୍ରେନ୍ରେ ପ୍ରବଳ ଜଳସ୍ରୋତ ରହିଛି। ଏହା ଜସୋଲା ଓ ଶାହୀନ ବାଘ ଦେଇ ପ୍ରବାହିତ ହୋଇ ଆଗ୍ରା କେନାଲରେ ପଡ଼ିଥାଏ ଏବଂ ଶେଷରେ ଯମୁନା ଆଡ଼କୁ ପ୍ରବାହିତ ହୁଏ। ଡ୍ରେନ୍ଟି ଆବାସିକ ଅଞ୍ଚଳର ମଝି ଦେଇ ଯାଇଛି ଏବଂ ଏହାର ଉଭୟ ପାର୍ଶ୍ୱରେ ଘର ରହିଛି। ଡ୍ରେନ୍ଟି ଖୋଲା ରହୁଥିବାରୁ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏହି ଘଟଣା ପରେ ଦିଲ୍ଲୀ ସରକାର ମଧ୍ୟ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମୁଖ୍ୟ ସଚିବଙ୍କଠାରୁ ଡ୍ରେନ୍ର ଦାୟିତ୍ୱ କେଉଁ ସଂସ୍ଥା କିମ୍ବା ବିଭାଗର ଅଧୀନରେ ରହିଛି, ସେ ସମ୍ପର୍କରେ ବିବରଣୀ ମାଗିଥିଲେ। ଏହି ଅବହେଳା ପାଇଁ ଦାୟୀ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏମ୍ସିଡିର ଜଣେ କନିଶ୍ଟ ଯନ୍ତ୍ରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତୁରନ୍ତ ନିଲମ୍ବିତ କରିଛି। ଏହି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିବା ନଗର ନିଗମ କହିଛି। ମିଥୁନଙ୍କ ଖୋଜିବାପାଇଁ ଦିଲ୍ଲୀ ଫାୟାର୍ ସର୍ଭିସ୍, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ , ଉଦ୍ଧାରକର୍ମୀ ଏବଂ ଡାଇଭରମାନେ ସାମିଲ ହୋଇଥିଲେ। ସେମାନେ ଡ୍ରେନ୍ ଏବଂ ଏହାର ତଳମୁହାଁ ଜଳପଥରେ କିଶୋରଙ୍କୁ ଖୋଜୁଥିଲେ। ଏହା ପୂର୍ବରୁ ମିଥୁନଙ୍କ ବାପା ଏକ ବାଡ଼ି ସାହାଯ୍ୟରେ ଡ୍ରେନ୍ରେ ଖୋଜାଖୋଜି କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଆସିଥିଲା। ନୂଆ ଭିଡିଓରେ ସେ ନିଜେ ଅଳିଆରେ ଭର୍ତ୍ତି ଡ୍ରେନ୍ ଭିତରକୁ ପଶି ନିଜ ହାତରେ ଅଳିଆ ହଟାଉଥିବା ଦେଖାଯାଇଛି। ମିଥୁନଙ୍କ ପରିବାର ମୂଳତଃ ଉତ୍ତରପ୍ରଦେଶର। ତାଙ୍କ ବାପା-ମାଆ ଏବଂ ଅନ୍ୟ ପରିବାର ସଦସ୍ୟମାନେ ଦିଲ୍ଲୀର ଏହି ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।