୭ ସେପ୍ଟେମ୍ବରକୁ ଘୁଞ୍ଚିଲା ଡିଜିପି ଚୟନ ଶୁଣାଣି
ଭୁବନେଶ୍ୱର : ରାଜ୍ୟରେ ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ କୁ ନେଇ ଦ୍ୱନ୍ଦ୍ୱ । ବାହାରି ପାରୁନାହିଁ କୌଣସି ନିଷ୍କର୍ଷ । ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟ ରେ । ପୁଣି ସେପ୍ଟେମ୍ବର ୭କୁ ଘୁଞ୍ଚିଛି ମାମଲାର ଶୁଣାଣି । ପୁଲିସ ମହାନିର୍ଦ୍ଦେଶକ ଚୟନ ଉପରେ ଜାରି ରହିଲା ସସ୍ପେନ୍ସ । ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କଲେ ଆମିସକ୍ୟୁରୀ । ପୂର୍ବରୁ ମାମଲାର ଶୁଣାଣି ଆଜି ହେବାର ଥିଲେ ମଧ୍ୟ ବର୍ତ୍ତମାନ ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାର ସର୍ବୋଚ୍ଚ ପଦବୀ ହୋଇଥିବାରୁ ଡିଜିପି ନିଯୁକ୍ତିକୁ ନେଇ ଏହି ମାମଲା ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି ।
ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠରେ ହେଉଛି । ରାଜ୍ୟ ସରକାର ଡିଜିପି ପଦ ପାଇଁ ସମ୍ଭାବ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ, ତାହା ଏହି ମାମଲାର ମୁଖ୍ୟ ପ୍ରସଙ୍ଗ ।
ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଡିଜିପି ଚୟନ ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକାରେ ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରାଯାଇଛି ଏବଂ ଏହା ୨୦୦୬ର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ଡିଜିପି ନିଯୁକ୍ତି ନୀତିର ଉଲ୍ଲଂଘନ ।
ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ବିରୋଧ କରିଆସୁଛନ୍ତି । ପୂର୍ବ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ ଯେ ରାଜ୍ୟ ନିଜର ଜବାବ ଦାଖଲ କରିସାରିଛି ।।
ସୁପ୍ରିମକୋର୍ଟଙ୍କ ଆସନ୍ତା ରାୟ ଓଡ଼ିଶା ପୁଲିସର ନେତୃତ୍ୱ ଚୟନ ଉପରେ ପ୍ରଭାବ ପକାଇପାରେ। ତେଣୁ ସେପ୍ଟେମ୍ବର ୭ର ଶୁଣାଣି ଉପରେ ପ୍ରଶାସନିକ ମହଲ ସହ ସମସ୍ତଙ୍କ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।