ତରଳୁଛି ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍

Oct 05, 2026 - 14:38
ତରଳୁଛି ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍

 

ୟୁରୋପରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ଭୟଙ୍କର ଗ୍ରୀଷ୍ମପ୍ରବାହ କାରଣରୁ ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍ ଗୁଡ଼ିକ ଦ୍ରୁତ ଗତିରେ ତରଳିବାରେ ଲାଗିଛନ୍ତି । ଯାହାଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଦେଶ ନିଜର ପ୍ରାୟ ଏକ-ପଞ୍ଚମାଂଶ ବରଫ ହରାଇସାରିଛି । ‘ଗ୍ଲେସିଅର୍ ମନିଟରିଂ ଇନ୍ ସ୍ୱିଜରଲ୍ୟାଣ୍ଡ’ର ଗବେଷଣା ଅନୁଯାୟୀ, ୨୦୨୬ ମସିହାର ପ୍ରଥମ ଆଠ ମାସ ମଧ୍ୟରେ କେତେକ ଗ୍ଲେସିଅର୍‌ର ଅଗ୍ରଭାଗ ପ୍ରାୟ ୧୦ ମିଟର (୩୩ ଫୁଟ୍) ପର୍ଯ୍ୟନ୍ତ ବରଫ ହରାଇ ୨୦୨୨ର ସର୍ବକାଳୀନ ରେକର୍ଡକୁ ଭାଙ୍ଗିଛି । ବିଶ୍ୱର ହାରାହାରି ତାପମାତ୍ରା ତୁଳନାରେ ୟୁରୋପ ଦୁଇଗୁଣ ଦ୍ରୁତ ଗତିରେ ଉତ୍ତପ୍ତ ହେଉଥିବାବେଳେ ଶୀତଦିନେ କମ୍ ବରଫପାତ ଏବଂ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସର୍ବାଧିକ ଗ୍ରୀଷ୍ମ ଓ ଶୁଷ୍କ ପରିବେଶ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଛି । ଗ୍ଲେସିଅର୍‌ଗୁଡ଼ିକ କେବଳ ବରଫର ପାହାଡ଼ ନୁହଁନ୍ତି, ବରଂ ବିଶ୍ବପାଇଁ ଜଳଭଣ୍ଡାର ଭାବେ କାର୍ଯ୍ୟ କରିଥାନ୍ତି । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ୨.୨ ଟ୍ରିଲିୟନ୍ ଲିଟର ବରଫଜଳ ନଷ୍ଟ ହୋଇଛି । ଯାହା ଦେଶର ବାର୍ଷିକ ଜଳ ବ୍ୟବହାରଠାରୁ ଚାରିଗୁଣ ଅଧିକ । ସ୍ୱିଜରଲ୍ୟାଣ୍ଡରୁ ରାଇନ୍, ରୋନ୍, ଦାନୁବ୍ ଓ ପୋ ଭଳି ୟୁରୋପର ମୁଖ୍ୟ ନଦୀଗୁଡ଼ିକ ବାହାରିଥିବାରୁ ଏହି କ୍ଷୟ ସମଗ୍ର ମହାଦେଶର ଜଳବିଦ୍ୟୁତ୍, କୃଷି ଏବଂ ଜଳ ସଙ୍କଟକୁ ବଢ଼ାଇବା ସହ ଭୂସ୍ଖଳନ ଓ ବନ୍ୟାର ବିପଦ ସୃଷ୍ଟି କରିଛି । ଏହି ସମସ୍ୟା କେବଳ ଆଲ୍ପସ ମଧ୍ୟରେ ସୀମିତ ନୁହେଁ, ବରଂ ହିମାଳୟ, ଗ୍ରୀନଲ୍ୟାଣ୍ଡ ଓ ଆଣ୍ଟାର୍କଟିକାରେ ମଧ୍ୟ ବରଫ କ୍ଷୟ ଦ୍ରୁତତର ହେବାରେ ଲାଗିଛି । ଯଦିଓ ସିଓଟୁ ନିର୍ଗମନ କମାଇ ଜଳବାୟୁକୁ ସ୍ଥିର କରିବା ଜରୁରୀ, ତଥାପି ଆଲ୍ପସ ଗ୍ଲେସିଅର୍‌ଗୁଡ଼ିକୁ ବଞ୍ଚାଇବା ପାଇଁ ଅନେକ ବିଳମ୍ବ ହୋଇସାରିଛି ବୋଲି ପ୍ରମୁଖ ଗ୍ଲେସିଓଲୋଜିଷ୍ଟ ମାଥିଆସ୍ ହସ୍ ଚେତାବନୀ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।