ପେଙ୍ଗୁଇନକୁ ମେଜର ଜେନେରାଲ ପଦବୀ

Oct 05, 2026 - 14:38
ପେଙ୍ଗୁଇନକୁ ମେଜର ଜେନେରାଲ ପଦବୀ

 

ନରୱେର ଏକ ପେଙ୍ଗୁଇନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ନରୱେର କିଙ୍ଗସ୍ ଗାର୍ଡ ବ୍ୟାଣ୍ଡ ଏବଂ ଡ୍ରିଲ୍ ଟିମ୍ ଏଡିନ୍‌ବର୍ଗ ଚିଡ଼ିଆଖାନା ଗସ୍ତ କରି ସେଠାରେ ରହୁଥିବା  ପେଙ୍ଗୁଇନ୍ ‘ସର ନିଲ୍ସ ଓଲାଭ’କୁ ମେଜର ଜେନେରାଲ ପଦବୀ ଏବଂ ‘ବାରନ୍ ଅଫ୍ ଦି ବୋଭେଟ୍ ଆଇଲ୍ୟାଣ୍ଡସ୍’ ଉପାଧିରେ ସମ୍ମାନିତ କରିଛନ୍ତି । ଯିଏକି ପୂର୍ବରୁ ବ୍ରିଗେଡିୟର ପଦବୀରେ ଅଧିଷ୍ଠିତ ଥିଲା । ଏଡିନ୍‌ବର୍ଗ ଚିଡ଼ିଆଖାନାର ପେଙ୍ଗୁଇନ୍ ରକ୍‌ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ନରୱେ କିଙ୍ଗସ୍ ଗାର୍ଡର ୧୬୦ରୁ ଅଧିକ ସୈନିକ ସାମିଲ ହୋଇ ସର ନିଲ୍ସଙ୍କୁ ସାଲ୍ୟୁଟ୍ କରିବା ସହ , ନୂତନ ପଦବୀର ବ୍ୟାଜ୍ ପିନ୍ଧାଇଥିଲେ । ୧୯୭୨ ମସିହାରେ ଏଡିନ୍‌ବର୍ଗ ଚିଡ଼ିଆଖାନା ଦ୍ୱାରା ପୋଷ୍ୟ ଗ୍ରହଣ କରାଯାଇଥିବା ଏହି ପେଙ୍ଗୁଇନ୍‌ଙ୍କୁ ମେଜର ନିଲ୍ସ ଏଗେଲିଏନ୍ ଏବଂ ନରୱେର ତତ୍କାଳୀନ ରାଜା ଓଲାଭଙ୍କ ନାମାନୁସାରେ ନାମିତ କରାଯାଇଥିଲା । ସେବେଠାରୁ ନରୱେ କିଙ୍ଗସ୍ ଗାର୍ଡର ସୈନିକମାନେ ନିୟମିତ ଭାବେ ତାଙ୍କୁ ସାକ୍ଷାତ କରିବା ସହ ମାଛ ଏବଂ କ୍ରିସମାସ୍ କାର୍ଡ ପଠାଇଥାନ୍ତି। ୧୯୮୨ରେ କର୍ପୋରାଲ ଭାବେ ନିଜର ପ୍ରଥମ ପଦବୀ ପାଇଥିବା ସର ନିଲ୍ସ ୧୯୮୭ରେ ସାର୍ଜେଣ୍ଟ, ୧୯୯୩ରେ ରେଜିମେଣ୍ଟାଲ ସାର୍ଜେଣ୍ଟ ମେଜର, ୨୦୦୧ରେ ଅନରେରୀ ରେଜିମେଣ୍ଟାଲ ସାର୍ଜେଣ୍ଟ ମେଜର, ୨୦୦୫ରେ କଲୋନେଲ-ଇନ୍-ଚିଫ୍, ୨୦୦୮ରେ ନାଇଟ୍‌‌ହୁଡ୍, ୨୦୧୬ରେ ବ୍ରିଗେଡିୟର ଏବଂ ବର୍ତ୍ତମାନ ମେଜର ଜେନେରାଲ ପଦବୀ ପାଇଁ ମନୋନୀତ ହୋଇ ଆଜି ପର୍ଯ୍ୟନ୍ତ ମୋଟ ୮ଟି ସମ୍ମାନଜନକ ପଦବୀ ହାସଲ କରିସାରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।