ତଳ ସ୍ତରରେ ଅନିଶ୍ଚିତତା
ଗତ ୩ମାସ ମଧ୍ୟରେ ୫ଜଣ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏଥିରେ କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନ୍ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଅଛନ୍ତି। ପ୍ରଶ୍ନ ଉଠୁଛି, ମୋଦି ସରକାର କ’ଣ ବିଶ୍ୱସ୍ତ ଅଧିକାରୀଙ୍କୁ ବିଦାୟଦେବାକୁ ଅନିଚ୍ଛୁକ? କାର୍ଯ୍ୟକାଳ ବୃଦ୍ଧି କେତେକ ସମ୍ବେଦନଶୀଳ ଦାୟିତ୍ୱରେ ଆବଶ୍ୟକ ହୋଇଥାଏ। ଯେତେବେଳେ ଅଧିକ ବ୍ୟତିକ୍ରମ ହୁଏ ସେତେବେଳେ କେବଳ ପ୍ରଶାସନିକ ସୁବିଧା ପାଇଁ ଏହା କରାଯାଉଛି ବୋଲି କୁହାଯାଏ। ହେଲେ ଜଣେ ଉତ୍ତରାଧିକାରୀ ନିଯୁକ୍ତ ନ କରିି ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ରଖିବା କିପରି ବ୍ୟବସ୍ଥା ପାଇଁ ଲାଭଦାୟକ, ତାହା ସରକାରଙ୍କୁ ପ୍ରମାଣିତ କରିବାକୁ ହେବ।
ତେବେ ବାରମ୍ବାର କାର୍ଯ୍ୟକାଳ ବୃଦ୍ଧିର ପ୍ରଭାବ ସମଗ୍ର ପ୍ରଶାସନିକ ସେବା ଉପରେ ପଡ଼େ। ପଦୋନ୍ନତି ବିଳମ୍ବିତ ହୋଇପାରେ, ତଳସ୍ତରରେ ଯୋଗ୍ୟ ଅଧିକାରୀମାନେ ନିରାଶ ହୋଇପାରନ୍ତି । ଏହାସହ ଧାରଣା ସୃଷ୍ଟି ହୋଇପାରେ ଯେ, ଯୋଗ୍ୟତା କିମ୍ବା ବରିଷ୍ଠତା ଅପେକ୍ଷା କ୍ଷମତା କେନ୍ଦ୍ରର ନିକଟତର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବଡ଼ ବିପଦ ହେଉଛି,ପ୍ରଶାସନିକ ସ୍ପଷ୍ଟବାଦିତାର ଅବକ୍ଷୟ। ଅସାଧାରଣ ପ୍ରତିଭାସମ୍ପନ୍ନ ଅଧିକାରୀଙ୍କୁ ନିଜ ସେବାରେ ରଖିବାର ସରକାରଙ୍କ ଅଧିକାର ଅଛି। କିନ୍ତୁ କାହିଁକି କାର୍ଯ୍ୟକାଳ ବୃଦ୍ଧି ଆବଶ୍ୟକ, କାହିଁକି ଜଣେ ଉପଯୁକ୍ତ ଉତ୍ତରାଧିକାରୀ ମିଳୁନାହାନ୍ତି ଏବଂ ଏପରି ନିଷ୍ପତ୍ତି କେଉଁ ମାନଦଣ୍ଡ ଆଧାରରେ ନିଆଯାଉଛି, ତାହା ସରକାର ସ୍ପଷ୍ଟ କରିବା ଉଚିତ। ଏକ ବୃତ୍ତିଗତ ସିଭିଲ ସେବା ପାଇଁ ଉଭୟ ନିରନ୍ତରତା ଏବଂ କ୍ଷମତାସୀନଙ୍କ ସମ୍ମୁଖରେ ନିର୍ଭୀକ ଭାବରେ ସତ୍ୟ କହିବାର ଆତ୍ମବିଶ୍ୱାସ ଆବଶ୍ୟକ। ଯଦି କାର୍ଯ୍ୟନିର୍ବାହୀଙ୍କ ବିବେକାନୁମୋଦିତ କ୍ଷମତା ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏକୁ ଦୁର୍ବଳକରେ, ତେବେ ଏହାର ମୂଲ୍ୟ କେବଳ ପଦୋନ୍ନତିରୁ ବଞ୍ଚିତ ଅଧିକାରୀମାନେ ନୁହନ୍ତି, ବରଂ ସମଗ୍ର ବ୍ୟବସ୍ଥାକୁ ଦେବାକୁ ପଡ଼େ।
ସତର୍କଘଣ୍ଟି ନା ଅମଲାତାନ୍ତ୍ରିକ ନାଟକ
ନିକଟରେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଏସ୍.ପି. ଗୋୟଲ ସରକାରୀ ବାବୁମାନଙ୍କ ପାଇଁ ଏକ ଅପ୍ରତ୍ୟାଶିତ ନିର୍ଦ୍ଦେଶ ଜାରି କରିଥିଲେ। ଏଥିରେ ଡ୍ୟୁଟି ସମୟସୂଚୀରେ ବଡ଼ ପରିବର୍ତ୍ତନ କରାଯିବା ସହ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରକଳ୍ପଗୁଡ଼ିକ ଧୀରଗତିରେ କାର୍ଯ୍ୟକରିବା ଏବଂ ଲକ୍ଷ୍ୟ ହାସଲରେ ବିଫଳତାକୁ ନେଇ ବଢ଼ୁଥିବା ଅସନ୍ତୋଷ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ୁଛି। ଏହା ସହ ରାଜ୍ୟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ହାତରେ ଆଉ କମ୍ ସମୟ ଅଛି।
ଜାରି କରାଯାଇଥିବା ଆଦେଶ କ’ଣ ପ୍ରଶାସନିକ ସଂସ୍କୃତିକୁ ବଦଳାଇପାରିବ। ଅଧିକାରୀମାନେ ଲକ୍ଷ୍ୟ ପୂରଣ ପଛରେ ଦୌଡ଼ିବା, ଯାଞ୍ଚ ରିପୋର୍ଟ ଦାଖଲ କରିବାରେ ବ୍ୟସ୍ତ ରହିଲେ ବି ପ୍ରକୃତ ସମସ୍ୟାଗୁଡ଼ିକ ଅସମାହିତ ହୋଇ ରହିଯାଇପାରେ।
ଉତ୍ତର ପ୍ରଦେଶରେ ଅଧିକାରୀଙ୍କୁ ବାରମ୍ବାର ବଦଳି କରାଯାଇ ଆସୁଛି। ଯୋଗୀ ଆଦିତ୍ୟନାଥଙ୍କ ସରକାର ବିଭିନ୍ନ ବିଭାଗକୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ବିତ କରିବା ଏବଂ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଚାପ ପକାଉଛନ୍ତି। କିନ୍ତୁ କର୍ମଚାରୀମାନଙ୍କର ନିରନ୍ତର ଅଦଳବଦଳ ଏବଂ ହଠାତ୍ ନିର୍ଦ୍ଦେଶ ଜାରି କରିବା ଦ୍ୱାରା ଏହି କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିବାର ଦାୟିତ୍ୱ ବହନ କରୁଥିବା ପ୍ରଶାସନିକ ବ୍ୟବସ୍ଥା ଅସ୍ଥିର ହୋଇପାରେ। ଗୋୟଲଙ୍କ ପ୍ରକୃତ ପରୀକ୍ଷା ଏହା ନୁହେଁ ଯେ ନିର୍ଦ୍ଦେଶ ପାଇବା ପରେ ଅଧିକାରୀମାନେ କେତେ ଶୀଘ୍ର ପ୍ରତିକ୍ରିୟା ଦେଉଛନ୍ତି, ବରଂ ପ୍ରକୃତ ପରୀକ୍ଷା ହେଉଛି ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ୁଛି କି ନାହିଁ, ବିଳମ୍ବର କାରଣ ବ୍ୟାଖ୍ୟା କରାଯାଉଛି କି ନାହିଁ ଏବଂ ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯାଉଛି। ଯଦି ଏହି ସମଗ୍ର ପ୍ରକ୍ରିୟା କେବଳ ଅଧିକ ଯାଞ୍ଚ ଏବଂ ଫାଇଲ୍ ପ୍ରସ୍ତୁତିରେ ଶେଷ ହୁଏ, ତେବେ ବାବୁମାନଙ୍କ ଦ୍ୱାରା ସଫଳତା ମିଳିବ ନାହିଁ। କେବଳ ବାହ୍ୟ ପ୍ରଦର୍ଶନ ବା ଦେଖଣାହାରି କାମ ଭାବେ ଏହା ପୁଣି ଥରେ ପ୍ରମାଣିତ ହେବ।
ଅଧିକ ବାବୁରେ ବି ବିଶୃଙ୍ଖଳା
ବାର୍ଷିକ ଅଧିକ ସଂଖ୍ୟକ ଆଇଏଏସ୍ ଅଧିକାରୀ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ଖବର ମିଳୁଛି। ୨୦୨୬ ଜାନୁଆରୀ ୧ ସୁଦ୍ଧା ଆଇଏଏସ୍ରେ ୬,୯୪୪ଟି ଅନୁମୋଦିତ ପଦବୀ ତୁଳନାରେ ମାତ୍ର ୫,୭୫୫ ଅଧିକାରୀ ଥିଲେ। ଅର୍ଥାତ୍ ୧,୧୮୯ଟି ପଦବୀ ଖାଲି ପଡ଼ିଥିଲା, ଯାହା ମୋଟ ଅନୁମୋଦିତ ପଦବୀର ପ୍ରାୟ ୧୭ ପ୍ରତିଶତ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ବାର୍ଷିକ ନିଯୁକ୍ତି ସଂଖ୍ୟା ବଢ଼ାଇବା ବିଷୟରେ ବିଚାର କରୁଥିବା ଜଣାପଡ଼ିଛି। କିନ୍ତୁ ଅଧିକ ନୂତନ ପ୍ରାର୍ଥୀଙ୍କ ଆଗମନ କ୍ୟାଡର ପରିଚାଳନାରେ ଥିବା ସମସ୍ୟାର ସମାଧାନ କରିପାରିବ ତ? ଅଧିକାରୀଙ୍କ ଅଭାବର ପ୍ରଭାବ ରହିଛି। ଅଧିକାରୀମାନେ ଏକାଧିକ ଦାୟିତ୍ୱ ସମ୍ଭାଳୁଛନ୍ତି। ନୀତି କାର୍ଯ୍ୟାନ୍ବୟନ ପ୍ରଭାବିତ ହେଉଛି। ହରିୟାଣାରେ ଅଧିକାରୀମାନେ ବିଭିନ୍ନ ବିଭାଗରେ ଅତିରିକ୍ତ ଦାୟିତ୍ୱ ବହନ କରୁଛନ୍ତି। ଜଣେ ଅଧିକାରୀଙ୍କୁ ଏକାଧିକ କାର୍ଯ୍ୟରେ ନିୟୋଜିତ କଲେ, ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଦେବା ସମ୍ଭବ ହୁଏ ନାହିଁ। ରାଜ୍ୟ ସିଭିଲ ସର୍ଭିସ୍ ପଦୋନ୍ନତିରେ ବିଳମ୍ବ, ଦୁର୍ବଳ କ୍ୟାଡର ପରିଚାଳନା କିମ୍ବା ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାବେଳେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ଲଦିଦେବା ଭଳି ସମସ୍ୟାର ସମାଧାନ କେବଳ ଅଧିକ ନିଯୁକ୍ତି ଦ୍ୱାରା ହୋଇପାରିବ ନାହିଁ।
ଏହା ସହ ଆଉ ଏକ ବିପଦ ରହିଛି। ଯଦି ସରକାର ଏହି ବ୍ୟବସ୍ଥାଗୁଡ଼ିକୁ ସୁଦୃଢ଼ ନ କରି ନିଯୁକ୍ତି ସଂଖ୍ୟା ବଢ଼ାନ୍ତି, ତେବେ ସରକାର ଚାହଁୁଥିବା ପ୍ରଶାସନିକ ଦକ୍ଷତା ଦୁର୍ବଳ ହୋଇପାରେ। ନିଯୁକ୍ତି ସଂଖ୍ୟା ବଢ଼ାଇବା ଆବଶ୍ୟକ ହୋଇପାରେ, କିନ୍ତୁ ଏହାକୁ ହିଁ ସଂସ୍କାର ବୋଲି ଭାବିନେବା ପ୍ରକୃତ ବିଫଳତା ହେବ।
Email: dilipcherian@gmail.com
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।