୭୨୬୮ ପୋଲିସ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି
ଭୁବନେଶ୍ୱର,୨୪ା୧୦(ସୁଚିସ୍ମିତା ସାହୁ): ଓଡ଼ିଶାରେ ପୋଲିସ ଓ ଅଗ୍ନିଶମ ବିଭାଗରେ ବଡ଼ଧରଣର ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ ସିଲେକ୍ସନ କମିଶନ(ଓୟୁଏସ୍ଏସ୍ଏସ୍ସି) ପକ୍ଷରୁ ବିଭିନ୍ନ ବର୍ଗରେ ମୋଟ ୭୨୬୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। କମ୍ବାଇନ୍ଡ ୟୁନିଫର୍ମଡ୍ ସର୍ଭିସେସ୍ (ଅଣ୍ଡର ଗ୍ରାଜୁଏଟ୍) ପରୀକ୍ଷା-୨୦୨୬ ଜରିଆରେ ଏହି ନିଯୁକ୍ତି କରାଯିବ। ପ୍ରଥମଥର ସମସ୍ତ ପଦବୀ ପାଇଁ ଆଶାୟୀମାନେ ଗୋଟିଏ ପରୀକ୍ଷା ଦେବେ।
ପ୍ରକାଶିତ ବିଜ୍ଞାପନ ଅନୁଯାୟୀ, କନ୍ଷ୍ଟେବଲ (ସିଭିଲ), କନ୍ଷ୍ଟେବଲ (କମ୍ୟୁନିକେଶନ), କନ୍ଷ୍ଟେବଲ (ଓଆଇଏସ୍ଏଫ୍), ଅଗ୍ନିଶମ କର୍ମଚାରୀ (ଫାୟାର ଫାଇଟର), ଫାୟାର ଫାଇଟିଂ ଡ୍ରାଇଭର, ଡ୍ରାଇଭର ପିଏମ୍ଟି ଏବଂ ଟ୍ରାଫିକ କନ୍ଷ୍ଟେବଲ ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଖାଲିଥିବା ପଦ ସଂଖ୍ୟା, ପରୀକ୍ଷା ପଦ୍ଧତି ଏବଂ ଅନ୍ଲାଇନ ପଞ୍ଜୀକରଣ ଓ ଆବେଦନ ଦାଖଲର ସମୟସୂଚୀ ସମ୍ପର୍କିତ ବିସ୍ତୃତ ତଥ୍ୟ କମିଶନଙ୍କ ଅଫିସିଆଲ ୱେବ୍ସାଇଟରେ ଉପଲବ୍ଧ ହେବ। ଆଗ୍ରହୀ ପ୍ରାର୍ଥୀମାନେ https://ousssc.odisha.gov.in ଓ୍ବେବସାଇଟ୍କୁ ଯାଇ ବିଜ୍ଞାପନରେ ରହିଥିବା ଆବେଦନ ସମ୍ପର୍କିତ ସମସ୍ତ ନିୟମାବଳୀ ଯାଞ୍ଚ କରିପାରିବେ। ଆବେଦନ କରିବା ପୂର୍ବରୁ ନିଜ ଯୋଗ୍ୟତା ଓ ଆବଶ୍ୟକ ସର୍ତ୍ତାବଳୀ ସମ୍ପର୍କରେ ନିଶ୍ଚିତ ହେବାକୁ କମିଶନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।