ତେଲ ବଜାରରେ ହଲଚଲ: ଦୀପାବଳି ପୂର୍ବରୁ ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର?
ନୂଆଦିଲ୍ଲୀ,୨୮।୧୦: ଦୀପାବଳି ପର୍ୱ ପାଖେଇ ଆସୁଛି ଏବଂ ଘରେ ଘରେ ପିଠାପଣା, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ମିଠା କିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଯଦି ଆପଣ ମଧ୍ୟ ପର୍ୱପର୍ୱାଣି ପାଇଁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଆଜିର ଦର ଜାଣିନିଅନ୍ତୁ। ଆଶ୍ୱସ୍ତିର କଥା ହେଉଛି ଦିଲ୍ଲୀରେ ଘରୋଇ ଏଲପିଜି (LPG) ସିଲିଣ୍ଡର ଦର ବର୍ତ୍ତମାନ ସ୍ଥିର ରହିଛି। ଅବଶ୍ୟ, ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ସିଲିଣ୍ଡର ମହଙ୍ଗା ହେବା ଯୋଗୁଁ ପାର୍ୱଣ ସମୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନଗୁଡ଼ିକର ଖର୍ଚ୍ଚ ବଢ଼ିପାରେ।
ବୁଧବାର, ୨୮ ଅକ୍ଟୋବର ୨୦୨୬ ରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କା ରହିଛି। ସେହିପରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ପାଇଁ ୨,୮୧୦ ଟଙ୍କା ଦେବାକୁ ପଡ଼ୁଛି। ଅକ୍ଟୋବର ୧ ତାରିଖରେ କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୬୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।
ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ୧୪.୨ କିଲୋର LPG ସିଲିଣ୍ଡର ଦର ଦିଲ୍ଲୀରେ ବର୍ତ୍ତମାନ ବଦଳି ନାହିଁ। ଅର୍ଥାତ୍ ଆପଣ ଯଦି ଦୀପାବଳିରେ ଘରେ ମିଠା, ପିଠାପଣା କିମ୍ୱା ଅନ୍ୟାନ୍ୟ ସୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି, ତେବେ ଆପଣଙ୍କୁ ସିଲିଣ୍ଡର ପାଇଁ ପୂର୍ୱ ମାସର ଦର ହିଁ ଦେବାକୁ ପଡ଼ିବ।
ଦୀପାବଳି ସମୟରେ ମିଠା ଦୋକାନ, କାରିଗର, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ କାମ ବହୁତ ବଢ଼ିଯାଏ। ଏହି ସମୟରେ କମର୍ସିଆଲ LPG ସିଲିଣ୍ଡରର ଚାହିଦା ମଧ୍ୟ ବୃଦ୍ଧି ପାଏ। ଏଭଳି ପରିସ୍ଥିତିରେ ଗ୍ୟାସ ଦର ବୃଦ୍ଧି ବ୍ୟବସାୟୀଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ପ୍ରଭାବ ପକାଇଥାଏ। ଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦର ଅକ୍ଟୋବର ଆରମ୍ଭରେ ୬୨.୫୦ ଟଙ୍କା ବୃଦ୍ଧି ପାଇ ୨,୮୧୦ ଟଙ୍କା ହୋଇଥିଲା। ସେହିପରି କୋଲକାତାରେ ଏହାର ଦର ୨,୯୫୪ ଟଙ୍କା ଏବଂ ପାଟନାରେ ୩,୧୦୦.୫୦ ଟଙ୍କା ରହିଛି।
ଏହାର ଅର୍ଥ ଏହା ନୁହେଁ ଯେ ମିଠା କିମ୍ୱା ଖାଦ୍ୟ ସାମଗ୍ରୀର ଦର ତୁରନ୍ତ ବଢ଼ିଯିବ। ଦରଦାମ ଉପରେ କଞ୍ଚାମାଲ, କ୍ଷୀର, ଚିନି, ତେଲ, ମଜୁରି ଏବଂ ଦୋକାନୀମାନଙ୍କ ଅନ୍ୟାନ୍ୟ ଖର୍ଚ୍ଚର ମଧ୍ୟ ପ୍ରଭାବ ପଡ଼ିଥାଏ। କିନ୍ତୁ ଗ୍ୟାସ ମହଙ୍ଗା ହେବା ଯୋଗୁଁ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ନିଶ୍ଚୟ ସୃଷ୍ଟି ହୋଇପାରେ।
ତୈଳ କମ୍ପାନୀଗୁଡ଼ିକ ସାଧାରଣତଃ ପ୍ରତି ମାସର ପହିଲା (୧ ତାରିଖ)ରେ LPG ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାନ୍ତି। ଘରୋଇ ଏବଂ ବାଣିଜ୍ୟିକ ସିଲିଣ୍ଡରର ଦର ଭିନ୍ନ ଭିନ୍ନ ଭାବରେ ର୍ନିଦ୍ଧାରଣ କରାଯାଏ। ତେଣୁ କମର୍ସିଆଲ ସିଲିଣ୍ଡର ମହଙ୍ଗା ହେବାର ଅର୍ଥ ଏହା ନୁହେଁ ଯେ ସେହି ସମୟରେ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।