ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ରଣନୀତି

Sep 30, 2026 - 10:40
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ରଣନୀତି

ନନ୍ଦିଘୋଷ ବ୍ୟୁରୋ : ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ରଣନୀତି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନରେ ହୋଇଥିବା ଗଡ଼ବଡ଼ି ବିରୋଧରେ ସାରା ଦେଶରେ ଆନ୍ଦୋଳନ ପନ୍ଥା ନେଇ ରୋଡମ୍ୟାପ ପ୍ରସ୍ତୁତ କରିବ ଇଣ୍ଡି ମେଣ୍ଟ। ଜ୍ଞାନେଶଙ୍କୁ ବହିଷ୍କାର କରିବା ଲାଗି ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରସ୍ତାବ ଆଣିବା ଲାଗି ପ୍ରସ୍ତୁତ ହୋଇଛି ମେଣ୍ଟ। ଏସଂକ୍ରାନ୍ତ ପ୍ରସ୍ତାବ ବୈଠକରେ ଗୃହୀତ ହେବା ସମ୍ଭାବନା ରହିଛି। ଏହି ବୈଠକରେ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,  ସମାଜବାଦୀ ପାର୍ଟି, ସିପିଆଇ, ସିପିଏମ, ଏନସିପି(ଏସପି), ଶିବସେନା-ୟୁବିଟିର ନେତାମାନେ ବୈଠକରେ ଯୋଗଦେବା ସମ୍ଭାବନା ରହିଛି। ବୈଠକରେ ଡିଏମକେ, ଆପ୍ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରେ ରାଜ୍ଯସଭା ନିର୍ବାଚନ ଥିବାରୁ ବୈଠକରେ ସାମିଲ ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକର ଦିନକ ପରେ ଅନୁଷ୍ଠିତ ଇଣ୍ଡିମେଣ୍ଟ ବୈଠକ ଗୁରୁତ୍ବ ବହନ କରିଛି। ତେବେ ଡିଏମକେ କହିଛି- ଜ୍ଞାନେଶ କୁମାରଙ୍କ ବିରୋଧରେ ଯଦି ସଂସଦରେ କୌଣସି ପ୍ରସ୍ତାବ ଆସେ ତେବେ ଦଳ ତାହାକୁ ସମର୍ଥନ କରିବ। ଗତ ଜୁନ ୮ରେ ଶେଷ ଥର ଲାଗି ଇଣ୍ଡି ମେଣ୍ଟର ବୈଠକ ବସିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।