ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍ବେଗ
ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ ଶିକାରୀମାନେ ବିଭିନ୍ନ ଫନ୍ଦିଫିକର କରି ହାତୀଙ୍କୁ ମାରୁଛନ୍ତି। ଏହାବାଦ୍ ହାତୀଙ୍କ ଲାଗି ସୁରକ୍ଷିତ କରିଡର ନ ଥିବାରୁ ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଆକସ୍ମିକ ଦୁର୍ଘଟଣା ଓ ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୧୧ ବର୍ଷ ତଳେ ହାତୀ ମୃତ୍ୟୁ ବର୍ଷକୁ ହାରାହାରି ୮୦ ସଂଖ୍ୟା ଭିତରେ ରହିଥିବାବେଳେ ଏବେ ଏହି ସଂଖ୍ୟା ୮୫କୁ ଟପିିଲାଣି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୫ରୁ ୨୦୨୩ ଅକ୍ଟୋବର ମଧ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଗତ ୩ ବର୍ଷ(୨୩-୨୪, ୨୪-୨୫ ଏବଂ ୨୫-୨୬)ରେ ରାଜ୍ୟରେ ୨୫୬ ହାତୀଙ୍କ ମୃତ୍ୟୁ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ ଗୃହକୁ ଜଣାଇଛନ୍ତି।
ବିଧାନସଭାର ମୌସୁମୀକାଳୀନ ଅଧିବେଶନ କାଳରେ ମଙ୍ଗଳବାର ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଖୁଣ୍ଟିଆ ଗୃହକୁ ଦେଇଥିବା ଉତ୍ତର ଅନୁଯାୟୀ, ୨୫୬ ହାତୀ ମୃତ୍ୟୁ ମଧ୍ୟରେ ସର୍ବାଧିକ ୬୫ ହାତୀଙ୍କ ମୃତ୍ୟୁ କେବଳ ବିଦ୍ୟୁତ୍ ଆଘାତରେ ହୋଇଥିବାବେଳେ ୫୯ ହାତୀ କେବଳ ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୪ଟି ହାତୀଙ୍କ ମୃତ୍ୟୁ ହର୍ପିସ୍ କାରଣରୁ ହୋଇଥିବାବେଳେ ୫୫ ହାତୀଙ୍କର ଅନ୍ୟାନ୍ୟ ରୋଗରେ ମୃତ୍ୟୁ ହୋଇଛି। ସେହିପରି ବାର୍ଦ୍ଧକ୍ୟ ଓ ଅନ୍ତଃକନ୍ଦଳ ଯୋଗୁ ୪୨ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିକାରୀଙ୍କ ଦ୍ୱାରା ୧୩ଟି ହାତୀ ମୃତ୍ୟୁବରଣ କରିଛନ୍ତି। ତେବେ ୧୨ଟି ହାତୀ କେବଳ ପ୍ରତିଷେଧମୂଳକ ହତ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଦର୍ଶାଇଛନ୍ତି। ଏହାବାଦ୍ ରେଳ ଦୁର୍ଘଟଣାରେ ୧୦ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟାନ୍ୟ ଦୁର୍ଘଟଣାରେ ୨୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହି ଅବଧି ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ ୩୮ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଠଗଡ଼ ୩୨, କେନ୍ଦୁଝର ବନଖଣ୍ଡରେ ୨୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାବାଦ୍ ଅନ୍ୟ ୨୯ଟି ବନଖଣ୍ଡରେ ଅବଶିଷ୍ଟ ହାତୀଙ୍କ ମୃତ୍ୟୁ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୩ରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ୍ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ, ୭ ଗୋଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ। ଅନ୍ୟପକ୍ଷରେ ବିଭାଗୀୟ ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୧୫-୧୬ରେ ୮୬ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୬-୧୭ରେ ୭୬, ୧୭-୧୮ରେ ୭୮, ୧୮-୧୯ରେ ୯୩, ୧୯-୨୦ରେ ୮୨ଟି, ୨୦-୨୧ରେ ୭୭ଟି, ୨୧-୨୨ରେ ୮୬ଟି, ୨୨-୨୩ରେ ୯୨ ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୩-୨୪ରେ ୬୬ଟି ହାତୀ ମୃତ୍ୟୁବରଣ କରିଥିବାବେଳେ ୨୪-୨୫ରେ ସର୍ବାଧିକ ୧୦୬ ଏବଂ ୨୫-୨୬ ବର୍ଷରେ ୮୫ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ହୋଇଛି।
ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍ (ବନ୍ୟପ୍ରାଣୀ) ଦେବବ୍ରତ ସ୍ବାଇଁ କହିଛନ୍ତି, ହାତୀ ମୃତ୍ୟୁ ବଢ଼ିବା ଏକ ଚିନ୍ତାଜନକ ବିଷୟ। ୨୦୨୫-୨୬ରେ ହାତୀ ଓ ମଣିଷ ସଂଘର୍ଷରେ ୯୦ଟି ହାତୀ ଏବଂ ପ୍ରାୟ ୧୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତଥ୍ୟ କହୁଛି ଯେତେ ଅଧିକ ଲୋକ ମରିବେ ସେତେ ଅଧିକ ହାତୀ ମରିବେ। ତେଣୁ ମଣିଷ ମରିବା କମିଲେ ହିଁ ହାତୀ ମୃତ୍ୟୁରେ ରୋକ୍ ଲାଗି ପାରିବ। ସେହିପରି ହାତୀଙ୍କ ପାଇଁ ବର୍ଷକୁ ପ୍ରାୟ ୧୭ହଜାର ଏକର ଧାନ ଫସଲ ନଷ୍ଟ ହେଉଛି। ସରକାର ଏଥିପାଇଁ ୨୦ହଜାର ଟଙ୍କା ଏକର ପିଛା ଅନୁକମ୍ପା ଦେଉଥିବାବେଳେ ଚାଷୀଟିଏ ୩୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ହାତୀ କ୍ଷେତକୁ ଆସିଲେ ଲୋକମାନେ ସେମାନଙ୍କୁ ଘଉଡ଼ାଉଛନ୍ତି, ଫଳରେ ସେମାନେ କମ୍ ଖାଉଛନ୍ତି ଏବଂ ଅଧିକ ନଷ୍ଟ କରୁଛନ୍ତି। ଏହାକୁ ନେଇ ମଣିଷଙ୍କ ମନରେ ହାତୀ ପ୍ରତି ରାଗ ବଢୁଛି। ତେଣୁ ସରକାର ଯେତେ ସଚେତନ କଲେ ବି ହାତୀ ପ୍ରତି ଲୋକଙ୍କର ମନରେ ସହାନୁଭୂତି ଆସିପାରୁ ନାହିଁ। ସରକାର ୨୦ ହଜାର ଟଙ୍କା ଅନୁକମ୍ପା ବଦଳରେ ଉଚିତ କ୍ଷତିପୂରଣ ଦେଲେ ଲୋକମାନେ ହାତୀ ପ୍ରତି ଅସହିଷ୍ଣୁ ହେବେ ନାହିଁ।
ସେହିପରି ପୂର୍ବତନ ଅନରାରୀ ଓ୍ବାଇଲ୍ଡ୍ ଲାଇଫ୍ ଓ୍ବାର୍ଡନ, ବାଲେଶ୍ୱର ତଥା ଆଇୟୁସିଏନ୍-ଏସ୍ଏସ୍ସି ସ୍ବତନ୍ତ୍ର ସଦସ୍ୟ ଡ. ପ୍ରକାଶ ମର୍ଦ୍ଦରାଜ କହିଛନ୍ତି, ହାତୀ ମୃତ୍ୟୁ ବଢ଼ିବା କାରଣରୁ ସେମାନଙ୍କ ସଂଖ୍ୟା କମିବା ସହିତ ରେସିଓ ଖରାପ ହେଉଛି। ବିଶେଷତଃ ରାସ୍ତା, କେନାଲ, ରେଳଧାରଣା ପାର୍ ଏବଂ ବିଦ୍ୟୁତ୍ ଆଘାତରେ ସେମାନଙ୍କ ମୃତ୍ୟୁ ହେଉଛି। ଓଡ଼ିଶାରେ ଥିବା ଏଲିଫ୍ୟାଣ୍ଟ କରିଡରଗୁଡ଼ିକ ନଷ୍ଟ ହେବାରେ ଲାଗିଲାଣି। ତେଣୁ ଏଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମର୍ଦ୍ଦରାଜ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।