ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

Sep 23, 2026 - 10:31
ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ତେବେ ଆହତ କାରଣରୁ ଷ୍ଟାର୍‌ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ସମୟ ପରେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ଓ ଦ୍ରୁତ ବୋଲର ଆଡାମ ମିଲ୍ନେ। ଭାରତୀୟ ଦଳ ଏହି T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ।
ନ୍ୟୁଜିଲାଣ୍ଡର ୧୬ ଜଣିଆ ଦଳରେ T20 ବିଶ୍ୱକପ ଖେଳିଥିବା ୧୩ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏହା ସହ ଆହତରୁ ସୁସ୍ଥ ହୋଇ ମାଇକେଲ ବ୍ରେସୱେଲ ଓ ଆଡାମ ମିଲ୍ନେ ଦଳକୁ ଫେରିଛନ୍ତି।
ରାଚିନ ରବୀନ୍ଦ୍ରଙ୍କ ସହ ଦ୍ରୁତ ବୋଲର ବେନ ସିଅର୍ସ ମଧ୍ୟ ଆହତ କାରଣରୁ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ମିଡିଲ ଅର୍ଡରରେ ବ୍ୟାଟିଂ ବିକଳ୍ପ ଭାବେ ବେଭନ ଜାକବ୍ସଙ୍କୁ ଦଳରେ ସାମିଲ କରାଯାଇଛି।

ଜାକବ୍ସ ଏପର୍ଯ୍ୟନ୍ତ ୧୧ଟି T20I ଖେଳିଛନ୍ତି। ତାଙ୍କ ଶେଷ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ସେ ଅପରାଜିତ ୬୨ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ପ୍ରାୟ ଏକ ବର୍ଷ ପରେ T20 ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଆଡାମ ମିଲ୍ନେ। ଭାରତ ବିପକ୍ଷ ୫ ମ୍ୟାଚ୍‌ରେ ସିରିଜ ପାଇଁ ତାଙ୍କୁ ଏକ ଶକ୍ତିଶାଳୀ ପେସ ବୋଲିଂ ୟୁନିଟ୍‌ରେ ସାମିଲ କରାଯାଇଛି।ଏହି ୟୁନିଟ୍‌ରେ ଲକି ଫର୍ଗୁସନ, ମ୍ୟାଟ ହେନରୀ, କାଇଲ ଜାମିସନ, ଜାକବ ଡଫି, ଜାକ ଫକ୍ସ ଓ ନାଥନ ସ୍ମିଥ ମଧ୍ୟ ରହିଛନ୍ତି। ଆହତ ବେନ ସିଅର୍ସ ଟିମ୍‌ରୁ ବାଦ ପଡ଼ିଛନ୍ତି। ମିଲ୍ନେ ଶେଷ ଥର ପାଇଁ ୨୦୨୫ ଜୁଲାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ T20 ମ୍ୟାଚ ଖେଳିଥିଲେ।

ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ କାର୍ଯ୍ୟସୂଚୀ

– ପ୍ରଥମ T20:୨୨ ଅକ୍ଟୋବର ଖ୍ରୀଷ୍ଟଚର୍ଚ୍ଚ
– ଦ୍ୱିତୀୟ T20: ୨୪ ଅକ୍ଟୋବର ଖ୍ରୀଷ୍ଟଚର୍ଚ୍ଚ
-ତୃତୀୟ T20: ୨୭ ଅକ୍ଟୋବର ୱେଲିଂଟନ
– ଚତୁର୍ଥ T20: ୩୦ ଅକ୍ଟୋବର ଅକଲାଣ୍ଡ
– ପଞ୍ଚମ T20: ୧ ନଭେମ୍ବର ହାମିଲଟନ

T20 ସିରିଜ ଶେଷ ହେବା ପରେ ୪ ନଭେମ୍ବରରୁ ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ODI ସିରିଜ ଆରମ୍ଭ ହେବ।

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ
ମିଚେଲ ସାନ୍ଟନର୍‌ (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କନୱେ, ଜାକବ ଡଫି, ଲକି ଫର୍ଗୁସନ, ଜାକ ଫକ୍ସ, ମ୍ୟାଟ ହେନରୀ, କାଇଲ ଜାମିସନ, ଆଡାମ ମିଲ୍ନେ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟିମ ସିଫର୍ଟ ଓ ନାଥନ ସ୍ମିଥ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।