ଥାର୍-ଫର୍ଚ୍ୟୁନର ସଂକଳ୍ପ ଯାତ୍ରା
ଦାଦ୍ରା ନଗର ହାବେଳିର ଦମନ ଜିଲ୍ଲାର ଟ୍ରାନ୍ସପୋର୍ଟ ନଗରଠାରେ ଆୟୋଜିତ ହୋଇଛି 'ଥାର୍-ଫର୍ଚ୍ୟୁନର ସଂକଳ୍ପ ଯାତ୍ରା' କାର୍ଯ୍ୟକ୍ରମ, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଥାର୍ ଓ ଫର୍ଚ୍ୟୁନର ଗାଡ଼ି ମାଲିକମାନଙ୍କୁ ସଡ଼କରେ ବେପରୁଆ ଗାଡ଼ି ଚାଳନା, 'ହିରୋଗିରି' ନଦେଖାଇ ଦାୟିତ୍ୱବାନ ଭାବେ ଗାଡ଼ି ଚଳାଇବା ପାଇଁ ଏକ ଅଭିନବ ଶପଥ ପାଠ କରାଯାଇଛି । ଜିଲ୍ଲାପାଳ ସୌରଭ ମିଶ୍ର ଗାଡ଼ି ଚାଳକମାନଙ୍କୁ ଟ୍ରାଫିକ୍ ନିୟମର କଡ଼ା ପାଳନ କରିବାକୁ ଅନୁରୋଧ କରିବା ସହ ଥାର୍ କିମ୍ବା ଫର୍ଚ୍ୟୁନର ରାସ୍ତାରେ ଯିବା ସମୟରେ ଅନ୍ୟ ସାଧାରଣ ଲୋକେ ଯେପରି ଭୟଭୀତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଅଭିଯାନ ଅଧୀନରେ ବେଆଇନ ଭାବେ ଗାଡ଼ିରେ କରାଯାଇଥିବା ମୋଡିଫିକେସନ୍, ଯେପରିକି କଳା କାଚ, ନିୟମ ବିରୋଧୀ ଟାୟାର୍ ଏବଂ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ଡିଜେ-ସାଉଣ୍ଡ ସିଷ୍ଟମକୁ ହଟାଯାଇଛି । ପ୍ରଶାସନ ପକ୍ଷରୁ 'ଥାର୍ର ଅର୍ଥ ଦାୟିତ୍ୱ' ନାମକ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବା ସହ ଗାଡ଼ି ମାଧ୍ୟମରେ 'ଭାଇଗିରି' କିମ୍ବା ମାଫିଆଗିରି ଦେଖାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।