ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

Oct 05, 2026 - 13:01
ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ। ଫଳରେ ରୋଗୀଠାରେ ରକ୍ତହୀନତା ରୋଗ ଦେଖାଦିଏ।ଯଦି ଜଣେ ଗର୍ଭବତୀ ମହିଳା ଥାଲାସିମିଆରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଗର୍ଭାବସ୍ଥାରେ ସ୍ୱତନ୍ତ୍ର ଡାକ୍ତରୀ ଯତ୍ନ ଆବଶ୍ୟକ ହୋଇଥାଏ।

ଗର୍ଭାବସ୍ଥାର ପ୍ରଥମ ୧୦ରୁ ୧୪ ସପ୍ତାହ ମଧ୍ୟରେ ଶିଶୁଟି ଗର୍ଭରେ ସୁସ୍ଥ ଅଛି କି ନାହିଁ କିମ୍ବା ତା’ଠାରେ ଥାଲାସିମିଆ ମେଜର୍ ରହିଛି କି ନାହିଁ, ତାହା ଜାଣିବା ପାଇଁ CVS (Chorionic Villus Sampling) କିମ୍ବା Amniocentesis ପରୀକ୍ଷା କରାଯାଏ।

ଯଦି ଗର୍ଭବତୀ ମହିଳା ଜଣକ ଥାଲାସିମିଆ ବାହକ  ତେବେ ତାଙ୍କ ସ୍ୱାମୀଙ୍କର ମଧ୍ୟ HPLC/Hb Electrophoresis ପରୀକ୍ଷା କରିବା ଜରୁରୀ। ଯଦି ଉଭୟ ବାହକ ହୋଇଥାନ୍ତି, ତେବେ ଶିଶୁଟି ଥାଲାସିମିଆ ମେଜର୍‌ରେ ଆକ୍ରାନ୍ତ ହେବାର ୨୫% ସମ୍ଭାବନା ଥାଏ। ଗର୍ଭାବସ୍ଥାରେ ନିୟମିତ ରକ୍ତ ପରୀକ୍ଷା କରି ହିମୋଗ୍ଲୋବିନ୍‌ର ମାତ୍ରା ଯାଞ୍ଚ କରାଯାଏ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଉଚ୍ଚ ମାତ୍ରାର ଫୋଲିକ୍ ଏସିଡ୍ ବଟିକା ଦିଆଯାଏ, ଯାହା ଶରୀରରେ ନୂତନ ରକ୍ତ କଣିକା ତିଆରିରେ ସାହାଯ୍ୟ କରେ। ଯଦି ଗର୍ଭବତୀଙ୍କ ହିମୋଗ୍ଲୋବିନ୍ ସ୍ତର ବହୁତ କମିଯାଏ, ତେବେ ସୁରକ୍ଷିତ ଏବଂ ପରୀକ୍ଷିତ ରକ୍ତ ଦେବାକୁ ପଡ଼ିଥାଏ।ସାଧାରଣ ଗର୍ଭାବସ୍ଥାରେ ଆଇରନ୍ ବଟିକା ଦିଆଯାଏ, କିନ୍ତୁ ଥାଲାସିମିଆ ରୋଗୀଙ୍କ ଶରୀରରେ ଅତ୍ୟଧିକ ଆଇରନ୍ ଜମା ହୋଇପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଆଇରନ୍ ସପ୍ଲିମେଣ୍ଟ ଖାଇବା ଅନୁଚିତ୍।

ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ  ଏବଂ ରକ୍ତ ରୋଗ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ନଜରରେ ସମ୍ପୂର୍ଣ୍ଣ ଗର୍ଭାବସ୍ଥା ନିୟନ୍ତ୍ରଣ କରାଯିବା ଉଚିତ୍। ତେବେ ଥାଲାସିମିଆ ରୋଗଟି ସମ୍ବନ୍ଧରେ ଜନସଚେତନା ବୃଦ୍ଧିର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।