ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

Oct 05, 2026 - 15:52
ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ ବିରୋଧ କରି ସରପଞ୍ଚ ପ୍ରେମଲାଲ ଭୋଇଙ୍କ ନେତୃତ୍ୱରେ ଓ ଗ୍ରାମବାସୀ ତଥା ସମିତିସଭ୍ୟା, ଓ୍ବାର୍ଡମେମ୍ବର ବୃନ୍ଦ ଏବଂ ୧୧ଟି ମହିଳା ସ୍ବୟଂ ସେବକ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ କେସିଙ୍ଗାସ୍ଥିତ ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ଗ୍ରାମର ୩ ଜଣ ମହିଳା ଓ ଜଣେ ପୁରୁଷ ଏହି ୪ ଜଣ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ଦୀର୍ଘଦିନରୁ ବିକ୍ରି କରି ଆସୁଛନ୍ତି। ଯାହାଫଳରେ ଗ୍ରାମ ନିକଟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି ଏବଂ ପ୍ରହରୀ ମଣ୍ଡପ ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଭାଗବତ ପଠନ କରାଯାଏ। ସେହିପରି କଲୋନୀ ପଡ଼ାର ଏକ ଗ୍ରୋସରି ଦୋକାନରେ ମଧ୍ୟ ଦେଶୀ ବିଦେଶୀ ମଦ ବେନିୟମ ଅନୁସାରେ ବିକ୍ରି କରାଯାଉଛି। ସ୍କୁଲରୁ ପ୍ରାୟ ୩୦ଫୁଟ ଦୂରରେ ମଦ ବିକ୍ରି କରାଯାଉଛି। ସନ୍ଧ୍ୟାରେ ଗ୍ରାମର ଝିଅବୋହୂମାନେ ଯିବା ଆସିବା ବେଳେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ହେଉଥିବା ଶୁଣିବାକୁ ମିଳିଥାଏ। ସକାଳ ପାହିଲେ ସ୍କୁଲ, ରାସ୍ତା, ପ୍ରହରୀ ମଣ୍ଡପ ଉଭୟ ପାଶର୍‌ବରେ ମଦ ବୋତଲ ଓ ପାଉଚ ଦେଖିବାକୁ ମିଳୁଛି। ଗ୍ରାମ ଭିତରେ ବେଆଇନ ଭାବରେ ମଦ ବିକ୍ରି ହେବା ଦ୍ବାରା ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ନିଶାଗ୍ରସ୍ତର ଶିକାର ହୋଇ ଭବିଷ୍ୟତ ନଷ୍ଟ ହେବା ସଙ୍ଗେ ପରିବାର ଚଳାଇବାରେ କଷ୍ଟ ହେଉଛି। ନିଶାରେ ନାନା ପ୍ରକାର ହିଂସା ଓ ଗଣ୍ଡଗୋଳ ଲାଗି ରହିଛି। ଗ୍ରାମରେ ମଦ ବିକ୍ରି କରିବା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରେମଲାଲ ଭୋଇ ଅନେକ ଥର ନୋଟିସ୍‌ କରିଛନ୍ତି। ଗ୍ରାମରେ ଅନେକ ଥର ସଭା ହୋଇଛି। କିନ୍ତୁ କାହାରି କଥାକୁ ମଦ ବିକ୍ରେତା ଖାତିର ନ କରି ଦେଶୀ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରି ଚାଲିଛନ୍ତି।

ଏନେଇ ସରପଞ୍ଚ ପ୍ରେମଲାଲ ଭୋଇଙ୍କ ସମେତ ପଞ୍ଚାୟତ ସମିତିମେମ୍ବର ବବିତା ଭୋଇ, ଓ୍ବାର୍ଡମେମ୍ବର ବୃନ୍ଦ, ଗ୍ରାମବାସୀ ଏବଂ ୧୧ଟି ମହିଳା ଗ୍ରୁପର ସଭାନେତ୍ରୀ,ସମ୍ପାଦିକାମାନେ ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି।

ଏନେଇ ସ୍ଥାନୀୟ ସରପଞ୍ଚ ପ୍ରେମଲାଲ ଭୋଇଙ୍କୁ ପଚାରିବାରୁ ଅନେକ ଥର ମଦ ବିକ୍ରେତାଙ୍କ ମନା କରାଯାଇଛି କିନ୍ତୁ ମଦ ବିକ୍ରି କରିବାକୁ ମାନୁ ନାହାନ୍ତି ତେଣୁ ବାଧ୍ୟ ହୋଇ ଅବକାରୀ ବିଭାଗରେ ଅଭିଯୋଗ କରିଛୁ ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କୁ ପଚାରିବାରୁ ୪ ଜଣଙ୍କୁ ଗିରଫ କରି କେସ୍‌ କରାଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।