ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି
ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ବିଶେଷକରି ସମ୍ବଲପୁର ଜିଲାର ଏହି ଅଭୟାରଣ୍ୟରେ ବିରଳ ବଳିଆ କୁକୁର, ଗୟଳ, କଲରାପତରିଆ ବାଘ ଏବଂ ଚୌଶିଙ୍ଗା ଭଳି ବିରଳ ପ୍ରଜାତିର ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ବଂଶବୃଦ୍ଧି କରୁଛନ୍ତି।
ଡିଏଫ୍ଓଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଚାଲିଯାଉଥିବା ବଳିଆ କୁକୁରଙ୍କ ସଂଖ୍ୟା ଡେବ୍ରିଗଡ଼ରେ ବଢ଼ିବାରେ ଲାଗିଛି। ୨୦୨୩-୨୪ ବର୍ଷରେ ଅଭୟାରଣ୍ୟରେ ମାତ୍ର ଗୋଟିଏ ବଳିଆ କୁକୁର ଠାବହୋଇଥିବା ବେଳେ ୨୦୨୪-୨୫ରେ ତା’ସହ ଆଉ ଏକ ମାଈ କୁକୁରକୁ ଦେଖିବାକୁ ମିଳିଥିଲା ନିକଟରେ ଏହି ମାଈ କୁକୁର ଦୁଇଟି ଛୁଆ ଜନ୍ମଦେବା ଫଳରେ ସେମାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଛୁଆଗୁଡ଼ିକ ଛୋଟ ଥିବାରୁ ସେମାନଙ୍କ ଗୁମ୍ଫା ନିକଟରେ କୌଣସି ପ୍ରକାର ମାନବୀୟ ପ୍ରବେଶକୁ ବାରଣ କରାଯାଇ କଡ଼ା ନଜର ରଖାଯାଇଛି। ସେହିପରି ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ପ୍ରାୟ ୭୦ ଥିବାବେଳେ ନିକଟରେ ପର୍ଯ୍ୟଟନ ଜୋନ୍ରେ ମା’ ସହ ଛୁଆର ସଦ୍ୟ ଫଟୋ ଚିତ୍ର ଉତ୍ତୋଳନ କରାଯାଇଛି।
ଅନ୍ୟପଟେ ଘାସପଡ଼ିଆର ଉତ୍ତମ ପରିଚାଳନା ଯୋଗୁ ଡେବ୍ରିଗଡ଼ରେ ଗୟଳ ବଂଶ ମଧ୍ୟ ବୃଦ୍ଧି ପାଉଛି। ଭାରତର ଶ୍ରେଷ୍ଠ ତୃଣଭୂମି ବିଶେଷଜ୍ଞ ତଥା ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନରେ କରାଯାଇଥିବା ବୈଜ୍ଞାନିକ ପରିଚାଳନା ଫଳରେ ଗତ ୩ ବର୍ଷ ଧରି ପ୍ରତିବର୍ଷ ପ୍ରାୟ ଶହେ ଲେଖାଏ ଗୟଳ ବଢୁଛନ୍ତି ଏବଂ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିଛି। ଏହା ବ୍ୟତୀତ ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୨୦ରୁ ୩୦ଟି ଚୌଶିଙ୍ଗା ଦେଖିବାକୁ ମିଳୁଛନ୍ତି। ଉତ୍ତମ ଜଙ୍ଗଲ ପରିଚାଳନା, ସୁରକ୍ଷିତ ପରିବେଶ ଏବଂ ଉପଯୁକ୍ତ ଖାଦ୍ୟ ଉପଲବ୍ଧତା କାରଣରୁ ଡେବ୍ରିଗଡ଼ ବିରଳ ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି।
ରିପୋର୍ଟ: ପ୍ରମୋଦ ବହିଦାର, ସମ୍ବଲପୁର
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।