ଦଶହରା ପାଇଁ ଚଳଚଞ୍ଚଳ ସିମନବାଡ଼ି: ମା’ ପାଟ୍ଟଖଣ୍ଡାଙ୍କ ଆଜ୍ଞାମାଳ ସହ ବାହାରିଲା ବିରାଟ ଶୋଭାଯାତ୍ରା
ଦାରିଙ୍ଗବାଡି,୧୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି । ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ ହେଉଥିବା ବେଳେ ୩ ଦିନ ଧରି ପୂଜାର୍ଚ୍ଚନା, ହୋମ ଆଦି ଅନୁଷ୍ଠିତ ହେଉଛି । ଏହି ପୂଜା ଆରମ୍ଭ ପୁର୍ବରୁ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ପରେ ତାଙ୍କ ଆଜ୍ଞାମାଳ ମିଳିଥିଲା । ଏହା ପରେ ବିରାଟ ପଟୁଆର ତଥା ଦଣ୍ଡ ନାଚ ଭଳି ପାରମ୍ପରିକ ଢୋଲ, ମହୁରୀ ବଜାଇ କାଳିବେଶ ଓ ଅନ୍ୟାନ୍ୟ ବେଶଧାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ସେହିପରି ଗାଁରେ ମା’ଙ୍କ ଅଜ୍ଞାମାଳ ସହ ପାଟୁଆରରେ ଆସିବା ବେଳେ ଗ୍ରାମବାସୀ ନିଜ ଘର ଦାଣ୍ଡରେ କଳସ, ଦୀପ, ଧୂପ, ଭୋଗ ରଖି ମା’ଙ୍କୁ ସ୍ୱାଗତ ପୂଜା କରିଥିଲେ । ଏହି ପାଟୁଆରରେ ମା’ଙ୍କ ଅଜ୍ଞାମାଳ ଆସିବା ବେଳେ ଗାଁ ଦାଣ୍ଡ ଦୁଲୁକି ଉଠିଥିଲା । ଏନେଇ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗିରିଶ ସାହୁଙ୍କ ସମେତ ତରଣୀ ସାହୁ, ବିନୋଦ ସାହୁ, ସରୋଜ ସାହୁ, ବାଥଲମ ନାୟକଙ୍କ ସମେତ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଏହି ପୂଜାକୁ ପରିଚାଳନା କରୁଛନ୍ତି ।
ସନ୍ତୋଷ ମିଶ୍ର ପୂଜା କର୍ମକୁ ସମ୍ପାଦନା କରିଛନ୍ତି । ଅଷ୍ଟମୀ ତିଥିରେ ମା’ଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଇଛି । ରବିବାର ନବମୀ ତିଥିରେ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯିବ ବୋଲି ପୂଜକ ସନ୍ତୋଷ ମିଶ୍ର କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।