ଦାଦନ ଶ୍ରମିକ ନିଖୋଜ ଘଟଣା: ଏର୍ନାକୁଲମ ପୋଲିସ କମିଶନରଙ୍କଠାରୁ ରିପୋର୍ଟ ତଲବ କଲା ଜାତୀୟ ମାନବାଧିକାର କମିଶନ
ଥୁଆମୂଳ ରାମପୁର, ୧୮।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଥୁଆମୂଳ ଗ୍ରାମପଞ୍ଚାୟତର ରାଣୀଡୁମେର ଗ୍ରାମର ୨୨ ବର୍ଷୀୟ ଯୁବକ ରଥ ଗୌଡ଼ କେରଳ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଗତବର୍ଷ ଅକ୍ଟୋବର ୪ ତାରିଖରୁ ନିଖୋଜ ଅଛନ୍ତି। ତାଙ୍କ ନିଖୋଜ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ଗମ୍ଭୀରତା ପ୍ରକାଶ କରିଛନ୍ତି। ଏନେଇ କମିଶନ କେରଳର ଏର୍ନାକୁଲମ ଜିଲା ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାନବାଧିକାର କର୍ମୀ ଦିଲୀପ କୁମାର ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ କମିଶନ ‘କେସ୍ ନଂ. ୨୭୩/୧୧/୩/୨୦୨୬’ ଭାବେ ପଞ୍ଜୀକୃତ କରିଥିଲେ। ଏହି ମାମଲାର ଶୁଣାଣି ଅକ୍ଟୋବର ୧୫ ତାରିଖରେ ହୋଇଥିବା ଜଣାପଡ଼ିଛି। କମିଶନଙ୍କ ସଦସ୍ୟ ପ୍ରିୟଙ୍କା କାନୁନଗୋଙ୍କ ଅନୁଯାୟୀ, ଏହି ମାମଲାରେ ପୋଲିସର କାର୍ଯ୍ୟପନ୍ଥା ଓ ସମ୍ଭାବ୍ୟ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି।
ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ପୋଲିସ କମିଶନରଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘଦିନ ଧରି ଯୁବକଙ୍କ ସନ୍ଧାନ ମିଳିନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।