ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା
ଭୁବନେଶ୍ବର : ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ମିଛ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ। ପଞ୍ଜିକୃତ ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ଅନୈତିକ ପ୍ରଚାର ଲାଗି ଟଣା ହେଲା ଲକ୍ଷ୍ମଣରେଖା । ରୋଗୀଙ୍କ ସମ୍ମାନ, ଗୋପନୀୟତାକୁ ଗୁରୁତ୍ବ ଦେଇ ନ୍ୟାସନାଲ ଡେଣ୍ଟାଲ କମିଶନ-ଏନ୍ଡିସି ଏକ ଆଡଭାଇଜରୀ ଜାରି କରିଛି । ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କଲାଭଳି ଭିଡିଓ ବା ଫଟୋ ଜାରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଆବଶ୍ୟ ହେଲେ ପଞ୍ଜୀକରଣ ବି ବାତିଲ ହେବ । ଦାନ୍ତ ଡାକ୍ତରମାନେ ବିଭିନ୍ନ ସମୟରେ ଚିକିତ୍ସା ନେଇ ମିଛ ବିଜ୍ଞାପନ ଦେଉଥିବା ଅଭିଯୋଗ ହେଉଛି । ନିଜର ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି । ହେଲେ କୌଣସି ବି ଡାକ୍ତର ବି ଅନୈତିକ ଭିଡିଓ କି ଫଟୋ ଛାଡ଼ନ୍ତି ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ସ୍ପଷ୍ଟ କରିଛି । କାଁ ଭାଁ ଡାକ୍ତରଙ୍କ ପାଇଁ ସମସ୍ତ ଦାନ୍ତ ଡାକ୍ତରଙ୍କୁ ଦାୟୀ କରିବା ଠିକ ନୁହେଁ ।
ଡାକ୍ତର, ଓକିଲ ଓ ଇନଫ୍ଲୁଏନସରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ନୀତି ନିର୍ଦ୍ଧାରଣର ଆବଶ୍ୟକତାକୁ ଅନୁଭବ କରିଛନ୍ତି ସାଇବର ବିଶେଷଜ୍ଞ । ମୁଖ କର୍କଟ ରୋଗୀଙ୍କ ଚିକିତ୍ସା ପୂର୍ବ ଓ ପର ଭିଡିଓକୁ ଦାନ୍ତ ଡାକ୍ତର ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହା ଦ୍ବାରା ସେମାନେ ନିଜ ବେପାର ବୃଦ୍ଧି କରିବା ସହ ସମୟ ସମୟରେ ସୋସିଆଲ ମିଡିଆରୁ ରୋଜଗାର ବି କରନ୍ତି । ହେଲେ ଅର୍ଥ ଉପାର୍ଜନ ହେଉ ହେଉ ସଂପୃକ୍ତ ରୋଗୀଙ୍କ ସମ୍ମାନ ହାନୀ ବି ହୋଇଥାଏ । ବିଭିନ୍ନ ସମୟରେ କାଇରୋପ୍ରାକ୍ଟରମାନେ ହାଡ଼ ଚିକିତ୍ସାର ଭିଡିଓ ସେୟାର କରନ୍ତି । ଯେଉଁଥିରେ ଅଧିକ ଭିଡିଓ ମହିଳା ରୋଗୀଙ୍କୁ ନେଇ ହୋଇଥାଏ । ଯାହାକୁ ବିଭିନ୍ନ ମହଲରେ ଆପତ୍ତିଜନକର ଆଖ୍ୟା ଦିଆଯାଇଛି ।
ଏଣିକି ପ୍ରଯୁଜ୍ୟ ବୈଧାନିକ ପ୍ରାବଧାନ ଓ ସଂଶୋଧିତ ଡେଣ୍ଡିଷ୍ଟ କୋଡ୍ ଅଫ୍ ଏଥିକ୍ସ ରେଗୁଲେସନ୍ସ ୨୦୧୪ ଅନୁସାରେ ସମସ୍ତ ପଞ୍ଜିକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ଆକର୍ଷିତ କରିବା, ଗୋପନୀୟତା, ପ୍ରଚାର ସମ୍ବନ୍ଧୀୟ ବ୍ୟବସାୟିକ ନୈତିକତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ରୋଗୀଙ୍କ ସମ୍ମାନ, ଗୋପନୀୟତା ଓ ପେଶାର ଗରିମା ବଜାୟ ରଖିବାକୁ ଏନ୍ଡିସି ପରାମର୍ଶ ଦେଇଛି ।..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।