ଧର୍ମୋପଦେଶ ବେଳେ ପାଦ୍ରୀଙ୍କ ଉପରେ ପଡ଼ିଲା କ୍ରୁଶ

Oct 19, 2026 - 17:54
ଧର୍ମୋପଦେଶ ବେଳେ ପାଦ୍ରୀଙ୍କ ଉପରେ ପଡ଼ିଲା କ୍ରୁଶ

ନନ୍ଦିଘୋଷ ବ୍ୟୁରୋ: ଇକ୍ୱେଡରରେ ଲାଇଭ୍‌ ମାସ୍‌ ବେଳେ ଅଘଟଣ । ଧର୍ମୋପଦେଶ ଦେଉଥିବା ସମୟରେ ପାଦ୍ରୀଙ୍କ ଉପରେ ପଡ଼ିଲା ବିଶାଳ କ୍ରୁଶ, ଚାଲିଗଲା ଜୀବନ । ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଫାଦର ପାଟ୍ରିସିଓ ଆଲଫ୍ରେଡୋ ସାଞ୍ଚେଜ୍ ମୋଲିନାରି ଜୀବନର କ୍ଷଣସ୍ଥାୟୀତା ଉପରେ ଦେଇଥିଲେ ମୂଲ୍ୟବାନ ବାର୍ତ୍ତା ।

ଗୁଆକିଲ୍‌ର ଚର୍ଚ୍ଚ ଅଫ୍ ଆୱାର୍ ଲେଡି ଅଫ୍ ପର୍ପେଚୁଆଲ୍ ହେଲ୍ପରେ ଲାଇଭ୍‌ଷ୍ଟ୍ରିମ୍‌ ମାଧ୍ୟମରେ ଚାଲିଥିବା ପ୍ରାର୍ଥନା ସଭାରେ ଏହି ଅଘଟଣ ଘଟିଥିଲା । ପାଦ୍ରୀ ବେଦୀ ପଛରେ ଠିଆ ହୋଇ ଧର୍ମୋପଦେଶ ଦେଉଥିବା ବେଳେ ତାଙ୍କ ପଛରେ ଲାଗିଥିବା ବଡ଼ କ୍ରୁଶଟି ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଘଟଣା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ ସହାୟତା କରିବା ସହ ଆମ୍ବୁଲାନ୍ସ ଡାକିଥିଲେ । ତେବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ପାଦ୍ରୀ ଜୀବନର ମୂଲ୍ୟ ଓ ମୃତ୍ୟୁର ଅନିଶ୍ଚିତତା ବିଷୟରେ କହୁଥିଲେ । ସେ ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ୍‌ରେ ଅଧିକ ସମୟ ନଷ୍ଟ ନକରି ଈଶ୍ୱର ଓ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଶେଷ ବାର୍ତ୍ତା ଏବେ ଘଟଣାଟିକୁ ଆହୁରି ମର୍ମସ୍ପର୍ଶୀ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।