ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

Sep 25, 2026 - 22:11
ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା:  ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର)  ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେବା ଫଳରେ ରାସ୍ତାର ଉଭୟ କଡ଼ ରେ ଥିବା ବହୁସଂଖ୍ୟକ ଘର ଓ ଦୋକାନ ଗୁଡ଼ିକରେ ପାଣି ପଶିଯାଇଥିଲା। ଏହି ସମସ୍ୟା ସୋମବାର ଠାରୁ ଶୁକ୍ରବାର ୫ ଦିନ ଯାଏଁ ଲାଗି ରହିଛି।ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ରାସ୍ତାକଡ଼ରେ ନାଳ ଖୋଳା ଯାଇଥିଲେ ମଧ୍ୟ ପାଣି ନିଷ୍କାସନ ହେଉନି । ଫଳରେ ସ୍ଥାନୀୟ ବାସିନ୍ଦା ଜଳବନ୍ଦୀ ଘେରରେ ରହିବା ସହ ସେମାନଙ୍କ ଜନଜୀବନ  ଅସ୍ତବ୍ୟସ୍ତ ହୋଇପଡିଛି। ଦୀର୍ଘବର୍ଷ ହେଲା ଏହି ସମସ୍ୟା ଲାଗି ରହିଥିବା  ବେଳେ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି  ନାଳ ନର୍ଦ୍ଦମାର ପାଣି ରାସ୍ତା ଉପରେ ଜମି ରହିବା ସହ ଲୋକଙ୍କ ଘରେ,ଦୋକାନ ରେ ପାଣି ପଶିବା ଫଳରେ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାସିନ୍ଦା ଙ୍କ ପକ୍ଷରୁ ବାରମ୍ବାର ଦାବୀ ଆପତ୍ତି କରାଯିବା ପରେ ଗଞ୍ଜାମ ଜିଲା ପୂର୍ତ୍ତ ବିଭାଗ ( ରାସ୍ତା ଓ କୋଠାବାଡ଼ି) ବିଭାଜନର ଏକ ବୈଷୟିକ ଟିମ୍ ତଥା ବ୍ରହ୍ମପୁର ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ , ଅଧିକ୍ଷଣ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ , ଦିଗପହଣ୍ଡି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ତାପସ କୁମାର ଦାସ , ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାରଣା ପ୍ରମୁଖ ବିଭାଗୀୟ ଅଧିକାରୀ ବୃନ୍ଦ ସ୍ଥାନୀୟ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ୨ ନଂ ୱାର୍ଡ କାଉନସିଲର ସୁଶାନ୍ତ କୁମାର ପାତ୍ର ଙ୍କ ଉପସ୍ଥିତିରେ ସବିଶେଷ ଆଲୋଚନା କରିଥିଲେ। ବସଷ୍ଟାଣ୍ଡ ଇଲାକା କୁ ଆସୁଥିବା ପାଣି ର ଉତ୍ସ କୁ ସେମାନେ ବୁଲି ଦେଖିବା ସହ ଦିଗପହଣ୍ଡି ଏନ୍ଏସି ୱାର୍ଡ ନଂ. ୨ ସାହାଣୀ  ସାହି ଏବଂ ପୁଞ୍ଜିକଂୟା ଛକ ଚିକିଟି ରୋଡରେ ଥିବା ୨ ଟି କଲଭର୍ଟ ନିକଟ କୁ ଯାଇ ପ୍ରବାହିତ ଜଳ ସ୍ରୋତ କୁ ଅନୁଧ୍ୟାନ କରିଥିଲେ। ଏଠାରୁ ଏହି ଉଦ୍ ବୃତ୍ତ ପାଣି ବସଷ୍ଟାଣ୍ଡ ନିକଟ ରାସ୍ତା ପାର୍ଶ୍ବରେ ଥିବା ଜମିକୁ ଯାଉଥିବା ନେଇ ବୈଷୟିକ ଟିମ୍ ର ସଦସ୍ୟ ବୃନ୍ଦ ଜାଣିବାକୁ ପାଇଥିଲେ।  ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ସମସ୍ୟାକୁ ଦୂରୀକରଣ ସକାଶେ ଆଗାମୀ ୭ ଦିନ ମଧ୍ୟରେ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ ଏବଂ ଏକ ନୂତନ କଲଭର୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲିି ନିଷ୍ପତ୍ତି ନିଆଯାଇଥିବା ବୈଷୟିକ ଟିମ୍ ର ସଦସ୍ୟ ଦିଗପହଣ୍ଡି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ତାପସ କୁମାର ଦାସ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।