ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍ର ଜଳପତ୍ତନ,ସଜାଗ ରହିଛି…
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ଦିଗପହଣ୍ଡି ବ୍ଲକ୍ସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍ର ଜଳପତ୍ତନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମ୍ର ଉପରମୁଣ୍ଡରେ ଥିବା ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଥିବାରୁ ବିଭିନ୍ନ ନଦୀ ଓ ନାଳର ବନ୍ୟାଜଳ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଛି। ଘୋଡ଼ାହାଡ଼ ଜଳସେଚନ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସଙ୍କ ସୂଚନା ଅନୁଯାୟୀ, ଡ୍ୟାମ୍କୁ ଘଣ୍ଟା ପ୍ରତି ଆନୁମାନିକ ୪୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି।
ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୧୬ ମିଟର ପାଣି ଗଚ୍ଛିତ ରହିଥିବା ଜଣାପଡ଼ିଛି। ଜଳସମ୍ପଦ ବିଭାଗର ରେକର୍ଡ ଅନୁଯାୟୀ, ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ମଧ୍ୟରେ ଡ୍ୟାମ୍ ଇଲାକାରେ ୬୫ ମିଲିମିଟର ଏବଂ ଦିଗପହଣ୍ଡିରେ ୮୬ ମିଲିମିଟର ବର୍ଷା ହୋଇଥିଲା। ସେହିପରି ଗୁରୁବାର ସକାଳ ୬ଟାରୁ ଅପରାହ୍ନ ୩ଟା ସୁଦ୍ଧା ଡ୍ୟାମ୍ ଇଲାକାରେ ୩୯ ମିଲିମିଟର ଏବଂ ଦିଗପହଣ୍ଡିରେ ୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ୍ର ଜଳସ୍ତର ଉପରେ ସତର୍କ ନଜର ରଖାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।