କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

Sep 24, 2026 - 22:23
କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବା ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳର ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରଗୁଡ଼ିକରୁ ବଳକା ପାଣି କେନାଲ ମାଧ୍ୟମରେ ପୂର୍ବରୁ ନିଷ୍କାସିତ କରାଯାଇଛି, ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସନ୍ଧ୍ୟାକାଳୀନ ବୁଲେଟିନ୍ ଅନୁଯାୟୀ, ଗଞ୍ଜାମ ଜିଲା ପାଇଁ ଅରେଞ୍ଜ ଚେତାବନୀ (Orange Warning) ଜାରି କରାଯାଇଛି। ଶୁକ୍ରବାର (୨୫ ତାରିଖ) ଜିଲାରେ ଭାରୀରୁ ଅତି ଭାରୀ ବର୍ଷା ହେବାର ପୂର୍ବାନୁମାନ ରହିଛି।

ଏହି ସମ୍ଭାବ୍ୟ ପ୍ରାକୃତିକ ବିପତ୍ତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖରେ ଗଞ୍ଜାମ ଜିଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ସମସ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଏହି ଆଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁ ପ୍ରସିଦ୍ଧ କଳିଙ୍ଗା ଘାଟିର ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଛି, ଯାହାଫଳରେ ଗମନାଗମନ ଗୁରୁତର ଭାବେ ବ୍ୟାହତ ହୋଇଛି। ଭୂସ୍ଖଳନ ହୋଇଥିବା ରାସ୍ତାର ମରାମତି ପାଇଁ ବହୁ ସମୟ ଲାଗିବାକୁ ଥିବାରୁ ଏହା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।