ଦିଲ୍ଲୀ ସତ୍ୟନିକେତନ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ ଆକ୍ସନ, MCDର ୫ ଅଧିକାରୀ ନିଲମ୍ବିତ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ସତ୍ୟନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ସରକାର। ଘଟଣାରେ MCD ଡେପୁଟି କମିଶନରଙ୍କ ସମେତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, କାହାରିକୁ ଛଡ଼ାଯିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି।
ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜଣେ ଅବସରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏହି ତଦନ୍ତ ଆରମ୍ଭ ହୋଇଛି। ସେପଟେ ଘର ମାଲିକ ହରିରାମଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋଠା ମାଲିକ ଗୁରୁଗ୍ରାମର ଆନନ୍ଦ ବନସଲ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସ ନିକଟରେ ଥିବା ଏହି କୋଠା ଗତକାଲି ଅପରାହ୍ଣ ୧ଟା ୩୩ ମିନିଟରେ ଭୁଶୁଡ଼ି ପଡ଼ିଥିଲା। ବେସମେଣ୍ଟରେ ମରାମତି କାମ ଚାଲିଥିବା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। କୋଠାରେ ୧୦ଟି ରୁମ୍ ଥିଲା ଏବଂ ସେଠାରେ ଏକ ପେଇଂ ଗେଷ୍ଟ ହଷ୍ଟେଲ ଚାଲୁଥିଲା। ପ୍ରାୟ ୪୦ରୁ ୫୦ ଜଣ ସେଠାରେ ରହୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି।
ଏହି ଅଘଟଣରେ ଏପର୍ଯ୍ୟନ୍ତ ୬ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଛାତ୍ର ଫସି ରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, NDRF, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ, ପୌର ନିଗମ ଓ ସିଭିଲ୍ ଡିଫେନ୍ସ ଟିମ୍ ନିୟୋଜିତ ଅଛନ୍ତି। ଘଟଣା ପରେ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଦାବି ଉଠାଇଛନ୍ତି। ଛାତ୍ରଛାତ୍ରୀ ରହୁଥିବା ସମସ୍ତ କୋଠାର ସୁରକ୍ଷା ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।