ଦିଲ୍ଲୀରେ ୬ ମହଲା କୋଠା ଭୁଶୁଡ଼ି ୫ ମୃତ, ୯ ଜଣ ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଆଜି ଅପରାହ୍ଣରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସତ୍ୟ ନିକେତନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ ନିକଟରେ ଅବସ୍ଥିତ। ଛାତ୍ରଛାତ୍ରୀଙ୍କ ଭିଡ଼ ଥିବା ଏହି ଅଞ୍ଚଳରେ ଭୁଶୁଡ଼ିଥିବା କୋଠାଟି ଏକ ୭୫ ଶଯ୍ୟା ବିଶିଷ୍ଟ ପିଜି (ପେୟିଂ ଗେଷ୍ଟ) ହଷ୍ଟେଲ ଭାବେ ବ୍ୟବହୃତ ହେଉଥିଲା। ରବିବାର ଅପରାହ୍ଣ ପ୍ରାୟ ୧ଟା ୩୦ରେ ଏହା ଭୁଶୁଡ଼ି ପଡ଼ିଥିଲା। କୋଠାର ମାଲିକ ଗୁରୁଗ୍ରାମରେ ରହୁଥିବା ଜଣାପଡ଼ିଛି। ସ୍ଥାନୀୟ ଯାଞ୍ଚରୁ କୋଠାଟି ପ୍ରାୟ ୪୦ରୁ ୫୦ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି। ଏଥିରେ ବେସ୍ମେଣ୍ଟ୍ ସହ ୫ଟି ମହଲା ଥିଲା। ଘଟଣା ସମୟରେ ବେସ୍ମେଣ୍ଟ୍ରେ ମରାମତି କାମ ଚାଲିଥିଲା ବୋଲି ପୁଲିସ କହିଛି। ଉଦ୍ଧାର କାର୍ଯ୍ୟରେ ଦିଲ୍ଲୀ ପୁଲିସ, ଏନ୍ଡିଆର୍ଏଫ୍, ଦିଲ୍ଲୀ ଅଗ୍ନିଶମ ସେବା ଓ ଡିଡିଏମ୍ଏର ଟିମ୍ ନିୟୋଜିତ ହୋଇଛନ୍ତି। ଭଗ୍ନାବଶେଷ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଦଙ୍ଗା ନିୟନ୍ତ୍ରଣ ଦଳକୁ ମଧ୍ୟ ଡକାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।