ଦିୟାଙ୍କ କ୍ଷୋଭ
ଦିପାବଳୀ ନିମନ୍ତେ ବାଣ ନ ଫୁଟାଇ ପରିବେଶ ଅନୁକୂଳ ପର୍ବ ପାଳନ କରିବାକୁ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଅପିଲ୍ ସମ୍ବଳିତ ଏକ ସଚେତନତା ଭିଡିଓକୁ ବୃହନମୁମ୍ବାଇ ମହାନଗର ନିଗମ (ବିଏମ୍ସି) ନିଜ ସୋସିଆଲ୍ ମିଡିଆ ପୃଷ୍ଠାରୁ ହଟାଇ ଦେବା ଘଟଣା ସ୍ଥାନୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଉଛି । ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ମୁମ୍ବାଇରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଏମ୍ସି ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଏହି ପ୍ରଚାର ପ୍ରସାର ଆରମ୍ଭ କରିଛି । ମୁମ୍ବାଇ ବିଜେପି ସଭାପତି ଅମିତ ସାତମ୍ ଏହାକୁ ବିରୋଧ କରି ଆମକୁ ଦିୱାଲୀ କିପରି ପାଳନ କରାଯାଏ ତାହା ଅନ୍ୟ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି 'ଏକ୍ସ'ରେ ପୋଷ୍ଟ କରିଛନ୍ତି । ବିଏମ୍ସି ଏହି ଭିଡିଓକୁ ନିଜର ଆକାଉଣ୍ଟରୁ ହଟାଇ ଦେଇଛି, ଯଦିଓ ମାଧୁରୀ ଦୀକ୍ଷିତ ଓ କ୍ରିକେଟର ଅଜିଙ୍କ୍ୟ ରାହାଣେଙ୍କ ଭିଡିଓ ଅପରିବର୍ତ୍ତିତ ରହିଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରି ଦିୟା ମିର୍ଜା କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏକ ଜନସ୍ବାସ୍ଥ୍ୟ ସମସ୍ୟା ଏବଂ ସେ ବିନା କୌଣସି ପାରିଶ୍ରମିକରେ ଜନସ୍ୱାର୍ଥରେ ଏହି କାର୍ଯ୍ୟ କରିଥିଲେ । ମାତ୍ର ଆଜିକାଲି ଭଲପାଇଁ କୌଣସି ସ୍ଥାନ ନାହିଁ । ଅନ୍ୟପଟେ ମୁମ୍ବାଇ ମେୟର ରିତୁ ତାୱଡେ ଅଭିଯୋଗ କରିଛନ୍ତି ଯେ ଦିୟା ସଦାସର୍ବଦା ନର୍ମଦା ପ୍ରକଳ୍ପ, ୟୁସିସି, ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ତଥା ହିନ୍ଦୁତ୍ୱ ବିରୋଧୀ ଆଭିମୁଖ୍ୟ ରଖିଆସୁଥିବାରୁ ବିଏମ୍ସି ତାଙ୍କୁ ବ୍ଲାକଲିଷ୍ଟ କରିଛି । ବିଜେପି ମନ୍ତ୍ରୀ ନୀତେଶ ରାଣେ ମଧ୍ୟ କେବଳ ହିନ୍ଦୁ ପର୍ବରେ ଉପଦେଶ ଦେଉଥିବା ନେଇ ଦିୟାଙ୍କୁ ସମାଲୋଚନା କରିଛନ୍ତି । ଅପରପକ୍ଷରେ ଶିବସେନା ନେତ୍ରୀ କିଶୋରୀ ପେଡନେକର ଓ ଏମଏନଏସ ଏହି ନିଷ୍ପତ୍ତିକୁ ନିନ୍ଦା କରି ବିଏମ୍ସି ବିଜେପିର ଚାପ ସାମ୍ନାରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।