ଦୀପାବଳୀ
ଦୁର୍ଗାପୂଜା ପରେ ଧରାପୃଷ୍ଠରେ ଆର୍ବିଭାବ ଘଟିଥାଏ ମାଆ କାଳୀଙ୍କର, ଯିଏ ପାପୀମାନଙ୍କୁ ବିନାଶ କରି ଧରାରେ ଶାନ୍ତି ଆଣିବାକୁ ଆସିଥାଆନ୍ତି ବୋଲି ବିଶ୍ବାସ ରହିଛି । ତେବେ ଓଡ଼ିଶାରେ କାଳୀଙ୍କ ପୂଜା ସହ ଏହି ସମୟରେ ପାଳନ ହୋଇଥାଏ ଆଲୋକର ପର୍ବ ଦୀପାବଳି ।
ଭାରତରେ ପାଳନ ହେଉଥିବା ବାର ମାସରେ ତେର ପର୍ବ ଭିତରେ ଅନ୍ୟତମ ହେଉଛି ଦୀପାବଳି, ଯାହା କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ବିଭିନ୍ନ ସ୍ଥାନରେ ଭିନ୍ନ ଢଙ୍ଗରେ ପାଳନ ହୋଇଥାଏ ଏହି ପର୍ବ । ତେବେ ଏହାକୁ ନେଇ ଅନେକ ମତ ବା ପୌରାଣିକ ବର୍ଣ୍ଣନା ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା ଏହା ଏକ କୃଷିଭିତ୍ତିକ ବିଧି । କୀମ୍ବଦନ୍ତି ଅନୁସାରେ ପ୍ରାଚୀନ କଳିଙ୍ଗ ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଏହି ପର୍ବର ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ତେବେ ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି । ଅମଳ ଋତୁ ଉପନୀତ ହେବାପରେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ଯେଉଁପ୍ରଥାରୁ ଦୀପାବଳିର ଉତ୍ପତି ବୋଲି ବର୍ଣ୍ଣନା ରହିଛି । ତେବେ ଏହା ଭିନ୍ନ ସ୍ଥାନରେ ଭିନ୍ନ ଢଙ୍ଗରେ ପାଳନ ହୋଇଥାଏ ।
କିମ୍ବଦନ୍ତୀ
କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପାଳନ ପାଇଁ ଘରେ ଘରେ ଦୀପ ଜଳାଯିବା ସହିତ ବାଣ ଫୁଟାଯାଏ । ଏହି ଦିନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପରମ୍ପରା ହେଲା ପୟା ଶ୍ରାଦ୍ଧ । ଯାହା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ । ତେବେ ପୁରାଣ ଅନୁଯାୟୀ ଏହାର ବ୍ୟାଖାନ ମଧ୍ୟ ଭିନ୍ନ ରହିଛି , ଆସନ୍ତୁ ଜାଣିବା ସେ ଗୁଡିକ କଣ ।
ରାମାୟଣ
ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ପୁରା ଅଯୋଧ୍ୟା ସେଦିନ ଆଲୋକରେ ଭରି ଯାଇଥିଲା । ପ୍ରତିଟି ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି। ସେଥିପାଇଁ ଦୀପାବଳି ଦିନ ସମସ୍ତଙ୍କ ଘରେ ଦୀପ ଜଳାଯିବାର ବିଧି ପାଳନ କରାଯାଇଥାଏ । ସମସ୍ତେ ନିଜ ଘରକୁ ଆଲୋକ ଓ ଦୀପରେ ସଜାଇଥାଆନ୍ତି । ପ୍ରତିଟି ଘରେ ରଙ୍ଗୋଲିର ସମାହାର ମଧ୍ୟ ଦେଖିବାକୁ ମିଳିଥାଏ ।
ମହାଦାନୀ ବଳୀ
ରାମାୟଣ ଭଳି ଦୈତରାଜ ବଳିଙ୍କୁ ନେଇମଧ୍ୟ ବର୍ଣ୍ଣନା ରହିଛି । ମହାରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା' ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ତେବେ ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାର ଅନୁମତି ବଳି ବିଷ୍ଣୁଙ୍କୁ ମାଗିଥିଲେ । ବିଷ୍ଣୁ ଏଥିରେ ସମ୍ମତି ଜଣାଇ ଗୋଟିଏ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । କିଛି ବର୍ଣ୍ଣନା ଅନୁସାରେ ଏହି ଦିନକୁ ଦୀପାବଳି କହନ୍ତି । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି।
ଶ୍ରୀକୃଷ୍ଣ ଓ ନରକାସୁର
ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି । ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ, ଯାହା ଦୀପାବଳି ନାମରେ ପରିଚିତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।