ଦୀର୍ଘ ୬ବର୍ଷ ପ୍ରତୀକ୍ଷାର ଅନ୍ତ । ବୁଧବାର ଶୁଭ ବେଳାରେ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର
ପୁରୀ : ଦୀର୍ଘ ୬ବର୍ଷ ପ୍ରତୀକ୍ଷାର ଅନ୍ତ । ବୁଧବାର ଶୁଭ ବେଳାରେ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେଲା ଶ୍ରୀଗୁଣ୍ଡିଚା ମନ୍ଦିର । ସୃଷ୍ଟିହେଲା ଅଧ୍ୟାତ୍ମିକ ମାହୋଲ । ନଡିଆ ବାଡେଇ,ଦୀପ ଲଗାଇ,ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ଖୋଲାଯାଇଥିଲା ଗୁଣ୍ଡିଚା ମନ୍ଦିରର ସିଂହଦ୍ଵାର। ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କୁ ଫୁଲ,ଚନ୍ଦନ, ଓ ପତାକା ଦେଇ ଗୁଣ୍ଡିଚା ମନ୍ଦିରକୁ ସ୍ୱାଗତ କରାଯାଇଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ତେବେ ଆଜିଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ ଶୁଳ୍କ ଲାଗିବନାହିଁ । ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଠାରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜନ୍ମବେଦି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବରିଷ୍ଠ ନାଗରିକ ଅର୍ଥାତ ୮୦ ବର୍ଷରୁ ଅଧିକ ଏବଂ ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ରହିଛି ନିଶୁଳ୍କ ପ୍ରବେଶ । ସେପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଥିବା ବେଳେ ଦିବ୍ୟାଙ୍ଗ ଭକ୍ତ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଜୋତା,ମୋବାଇଲ୍ ଫୋନ୍ ରଖିବା ପାଇଁ ଗୁଣ୍ଡିଚା ମନ୍ଦିର ବାହାରେ ଷ୍ଟାଣ୍ଡ କରାଯାଇଥିବା ବେଳେ ବିନା ମୂଲ୍ୟରେ ଏସବୁ ସୁରକ୍ଷିତ ରଖିପାରିବେ ଭକ୍ତ । ତେବେ ଦୀର୍ଘବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ ଆଶଙ୍କା କରାଯାଇଥିଲା । ଏନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ପୋଲିସ ପ୍ରଶାସନ ତରଫରୁ ଗୁରୁତ୍ୱ ଦିଆଯାଇଥିଲା । ମୋବାଇଲ୍ ଫୋନ୍ ପ୍ରବେଶ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।
ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବା ସହ ଏହାର କିମ୍ବଦନ୍ତୀ ଜାଣିବାରୁ ବଞ୍ଚିତ ରହୁଥିଲେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଯାଇ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ନଯାଇ କ୍ଷୋଭ ପ୍ରକାଶ କରୁଥିଲେ ଭକ୍ତ। ଏ ନେଇ ବିଭିନ୍ନ ମହଲରୁ ଗୁଣ୍ଡିଚା ମନ୍ଦିର ଖୋଲିବା ପାଇଁ ଦାବି ହୋଇ ଆସୁଥିବା ବେଳେ ବୁଧବାର ଖୋଲାଯିବା ପରେ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଧା। ଅନ୍ୟ ପକ୍ଷରେ ଆଜି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଜନ୍ମବେଦୀ ଦର୍ଶନ କରି ଧନ୍ୟ ମନେ କରିଛନ୍ତି । ଆଗକୁ ଶ୍ରୀମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ନେଇ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।