ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

Sep 19, 2026 - 19:35
ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ ଏକ କନ୍ୟାରତ୍ନ ଆସିଛନ୍ତି। ନିଜର ଦ୍ୱିତୀୟ ସନ୍ତାନର ଆଗମନ ନେଇ ଦୀପିକା ଓ ରଣବୀର୍‌ ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଯୁଗ୍ମ ପୋଷ୍ଟ୍‌ ଶେୟାର୍‌ କରି ଦୀପିକା ଏହି ଖୁସି ଖବର ଦେଇଛନ୍ତି। ଏହି ପୋଷ୍ଟ୍‌ରେ ଶିଶୁର କୋମଳ ପାଦର ଛାପ (ଫୁଟ୍‌ପ୍ରିଣ୍ଟ୍‌) ରହିଥିବା ବେଳେ, ତାହା ତଳେ ରଣବୀର୍‌, ଦୀପିକା, ସେମାନଙ୍କ ପ୍ରଥମ ସନ୍ତାନ ‘ଦୁଆ’ଙ୍କ ନାମ ଏବଂ ଆଜିର ତାରିଖ (୧୯/୦୯/୨୦୨୬) ଲେଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ବଲିଉଡ୍‌ର ବିଭିନ୍ନ କଳାକାର, ଶୁଭେଚ୍ଛୁ ଓ ସେମାନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ନବଜାତ ଶିଶୁ ଏବଂ ମା’-ବାପାଙ୍କୁ ଶୁଭେଚ୍ଛାର ସୁଅ ଛୁଟାଉଛନ୍ତି।

ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହ ୧୪ ନଭେମ୍ବର ୨୦୧୮ରେ ଇଟାଲୀର ଲେକ୍‌ କୋମୋଠାରେ ଏକ ବ୍ୟକ୍ତିଗତ ଡେଷ୍ଟିନେସନ୍‌ ୱେଡିଂରେ ବିବାହ କରିଥିଲେ।ଏହି ଦମ୍ପତି ୮ ସେପ୍ଟେମ୍ବର ୨୦୨୪ରେ ସେମାନଙ୍କର ପ୍ରଥମ ଝିଅ ‘ଦୁଆ’ଙ୍କୁ ସ୍ୱାଗତ କରିଥିଲେ। ୧୯ ଅପ୍ରେଲ ୨୦୨୬ରେ ଦୀପିକା ଓ ରଣବୀର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ଫଟୋ ଶେୟାର୍‌ କରି ଦ୍ୱିତୀୟ ଗର୍ଭବତୀ ହେବା ନେଇ ସୂଚନା ଦେଇଥିଲେ। ସେହି ଫଟୋରେ ସେମାନଙ୍କ ବଡ଼ ଝିଅ ଦୁଆ ଏକ ପଜିଟିଭ୍‌ ପ୍ରେଗ୍‌ନାନ୍ସି କିଟ୍‌ ଧରିଥିବା ଦେଖିବାକୁ ମିଳିଥିଲା। କନ୍ୟାରତ୍ନ ଜନ୍ମ ହେବା ପୂର୍ବରୁ ଏହି ଷ୍ଟାର୍‌ କପଲ୍‌ ସେମାନଙ୍କର ଏକ ସୁନ୍ଦର ପ୍ରେଗ୍‌ନାନ୍ସି ଫୋଟୋଶୁଟ୍‌ ଶେୟାର୍‌ କରି ପ୍ରଶଂସକଙ୍କ ମନ ଜିଣିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।