ଦୁର୍ବଳ ହେଲା ଗଭୀର ଅବପାତ ,ରବିବାର ଯାଏଁ ପ୍ରବଳ ବର୍ଷା

Sep 25, 2026 - 12:01
ଦୁର୍ବଳ ହେଲା ଗଭୀର ଅବପାତ ,ରବିବାର ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର : ଦୁର୍ବଳ ହେଉଛି ବଙ୍ଗୋପସାଗର ରେ ସୃଷ୍ଟ ଅଭିର ଅବପାତ । ଡିପ୍ରେସନ୍ ରୂପ ନେଇ ବର୍ତ୍ତମାନ ଏହା ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଅଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅବପାତଟି ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି, ତଥାପି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମେଘୁଆ ପାଗ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ଆଜି ଦିନକ ପାଇଁ ୫ ଜିଲ୍ଲାରେ ପୁଣି ସ୍କୁଲ ଛୁଟି କରାଯାଇଛି ।

ଅବପାତଟି ବର୍ତ୍ତମାନ ​ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଥିବା ବେଳେ ​ଟିଟିଲାଗଡଠାରୁ ୯୦ କିମି ଦୂରରେ ରହିଛି । ​ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଅବପାତ ଲଗାତାର ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତ ରୂପ ବଜାୟ ରଖିବ । ଏହା ପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହାର ଶକ୍ତି ଆହୁରି ହ୍ରାସ ପାଇ ଏହା ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହେବ । 

କ୍ରମାଗତ ବର୍ଷା ଯୋଗୁଁ ମହାନଦୀ ସମେତ କେତେକ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଏବଂ ରାଜସ୍ୱ ବିଭାଗକୁ ସଜାଗ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।