ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

Oct 26, 2026 - 08:18
ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ ଯେକୌଣସି ଜିନିଷର ବାସ୍ନା ବା ସୁଗନ୍ଧ ପଠାଇବା ସମ୍ଭବ ହେବ। ବୈଜ୍ଞାନିକମାନେ ଏକ ନୂତନ ଡିଜିଟାଲ ସେଣ୍ଟ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛନ୍ତି, ଯାହାର ନାମ ‘ସେଣ୍ଟ୍ରୋନିକ୍‌’ ରଖାଯାଇଛି। ଏହି ଟେକ୍ନୋଲୋଜି ସାହାଯ୍ୟରେ ଦୂର ସ୍ଥାନରୁ ସୁଗନ୍ଧ ଚିହ୍ନଟ କରାଯାଇ ତାହାକୁ ଅନ୍ୟତ୍ର ପ୍ରେରଣ କରାଯାଇପାରିବ।

ଆମେରିକାର ଓହିଓ ଷ୍ଟେଟ ୟୁନିଭର୍ସିଟିର ଗବେଷକ ଚୁନୟୁ ୟାଙ୍ଗଙ୍କ ନେତୃତ୍ୱରେ ଏହି ଅଭିନବ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ କରାଯାଇଛି। ଏହି ସିଷ୍ଟମ୍‌ରେ ଏକ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ‘ଇ-ନୋଜ୍‌’ ବା ଇଲେକ୍ଟ୍ରୋନିକ ନାକ ବ୍ୟବହାର କରାଯାଇଛି। ଏଥିରେ ଥିବା ଗ୍ୟାସ ସେନ୍ସରଗୁଡ଼ିକ ଯେକୌଣସି ସୁଗନ୍ଧର କେମିକାଲ କମ୍ପାଉଣ୍ଡକୁ ଚିହ୍ନଟ କରିଥାନ୍ତି। ଏହାପରେ ମେଶିନ ଲର୍ନିଂ ମଡେଲ ସେହି ସୁଗନ୍ଧକୁ ଡାଟା (ତଥ୍ୟ)ରେ ପରିଣତ କରି ଇଣ୍ଟରନେଟ ମାଧ୍ୟମରେ ରିସିଭର୍‌ ବା ଗ୍ରହଣକାରୀ ଡିଭାଇସ୍‌କୁ ପଠାଇଥାଏ। ଅନ୍ୟପଟେ ଗ୍ରହଣକାରୀଙ୍କ ପାଖରେ ଏକ ଛୋଟ ପିନ୍ଧିବା ଯୋଗ୍ୟ ‘ସେଣ୍ଟ ଜେନେରେଟର’ ଡିଭାଇସ୍‌ ଥାଏ। ଏହି ଡିଭାଇସ୍‌ ଇଣ୍ଟରନେଟ୍‌ରୁ ମିଳିଥିବା ତଥ୍ୟ ଆଧାରରେ ନିଜ ଭିତରେ ଥିବା ସୁଗନ୍ଧିତ ତରଳ ପଦାର୍ଥକୁ ମିଶ୍ରଣ କରି ଠିକ୍‌ ସେହି ସମାନ ବାସ୍ନା ସୃଷ୍ଟି କରିଥାଏ।
ବର୍ତ୍ତମାନର ପ୍ରୋଟୋଟାଇପ୍‌ରେ କଫି, କେକ୍‌, କମଳା, ବିୟର ଏବଂ ରେଡ୍‌ ୱାଇନ ଭଳି ୫ଟି ଦୈନନ୍ଦିନ ବାସ୍ନାକୁ ସଫଳତାର ସହ ଚିହ୍ନଟ ଓ ପ୍ରେରଣ କରାଯାଇପାରିଛି। ପରୀକ୍ଷଣ ସମୟରେ ପ୍ରାୟ ୭୩% ମାମଲାରେ ଲୋକେ ଏହି ସୃଷ୍ଟି କରାଯାଇଥିବା ବାସ୍ନାକୁ ଠିକ୍‌ ଭାବେ ଚିହ୍ନିପାରିଛନ୍ତି। ଏହି ଟେକ୍ନୋଲୋଜି ପାଇଁ ହାତରେ ପିନ୍ଧିବା ସକାଶେ ବ୍ୟାଣ୍ଡ, ହାର ଏବଂ ହ୍ୟାଣ୍ଡହେଲ୍ଡ ଡିଭାଇସ୍‌ ମଧ୍ୟ ଡିଜାଇନ କରାଯାଇଛି। ଭବିଷ୍ୟତରେ ଏହି ଟେକ୍ନୋଲୋଜି ଅନ୍‌ଲାଇନ୍‌ ଶପିଂ (ଯେପରିକି ପରଫ୍ୟୁମ୍‌ କିଣିବା ପୂର୍ବରୁ ଶୁଙ୍ଘିବା), ଭିଡିଓ କଲ ଏବଂ ଭର୍ଚୁଆଲ ରିଆଲିଟି (ଭିଆର୍‌) କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।