ନନ୍ଦନକାନରେ ସୁରକ୍ଷିତ ଅଛନ୍ତି ଶିଶୁ ଓରାଙ୍ଗଉଟାନ

Sep 15, 2026 - 13:08
ନନ୍ଦନକାନରେ ସୁରକ୍ଷିତ ଅଛନ୍ତି ଶିଶୁ ଓରାଙ୍ଗଉଟାନ

ଭୁବନେଶ୍ୱର : ନନ୍ଦନକାନରେ ସୁରକ୍ଷିତ ଅଛନ୍ତି ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ବିରଳ ଶିଶୁ ଓରାଙ୍ଗଉଟାନ ଇ ୫ଜଣଙ୍କ ମଧ୍ୟରୁ ଜଣକୁ ସାମାନ୍ୟ ଜ୍ୱର ଥିଲା ତେବେ ବର୍ତ୍ତମାନ ସେ ସୁସ୍ଥ ଅଛି ବୋଲି ପ୍ରାଣୀ ଉଦ୍ୟାନ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସ୍ଥିର ରହିଛି । ଫଳରେ ଶିଶୁଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । 

ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ସଙ୍ଗରୋଧ (Quarantine) କକ୍ଷରେ ଥିବା ସମସ୍ତ ୫ ଶିଶୁ ଓରାଂଓଟାନ୍‌ଙ୍କୁ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଛି । ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତରି ରିପୋର୍ଟ ଜାରି କରି ଏହି ସୂଚନା ଦେଇଛନ୍ତି । 

ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ୩ଟି ଅଣ୍ଡିରା ଏବଂ ୨ଟି ମାଈ ଓରାଙ୍ଗଉଟାନଙ୍କ ଶରୀରର ଓଜନ ଏବଂ ତାପମାତ୍ରା ନିୟମିତ ଭାବେ ଯାଞ୍ଚ କରାଯାଉଛି। ପ୍ରଥମ ଅଣ୍ଡିରା ଶିଶୁର ଓଜନ ୪.୯୯୦ କେଜି ଓ ତାପମାତ୍ରା ୯୮.୩ ଡିଗ୍ରୀ ଫାରେନ୍‌ହାଇଟ୍ ଥିବାବେଳେ, ଦ୍ୱିତୀୟ ଅଣ୍ଡିରାଟିର ଓଜନ ୩.୪୭୦ କେଜି ଓ ତାପମାତ୍ରା ୯୯ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି।

ସେହିପରି ତୃତୀୟ ଅଣ୍ଡିରା ଶିଶୁର ଓଜନ ୨.୮୫୦ କେଜି ଏବଂ ତାପମାତ୍ରା ୯୮.୨ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି। ଅନ୍ୟପକ୍ଷରେ, ଦୁଇଟି ମାଈ ଶିଶୁ ମଧ୍ୟରୁ ପ୍ରଥମଟିର ଓଜନ ୪.୧୩ କେଜି ଓ ତାପମାତ୍ରା ୯୮.୮ ଡିଗ୍ରୀ ଫାରେନ୍‌ହାଇଟ୍ ଥିବାବେଳେ ଦ୍ୱିତୀୟ ମାଈ ଶିଶୁର ଓଜନ ୨.୦୮୦ କେଜି ଓ ତାପମାତ୍ରା ୯୮.୪ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି।

ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସମସ୍ତ ୫ଟି ଶିଶୁ  ଓରାଙ୍ଗଉଟାନ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ରାମ ନେଉଛନ୍ତି। ଏହାସହ ଚିକିତ୍ସା କେନ୍ଦ୍ରରେ କରାଯାଇଥିବା ମଳ ନମୂନା ପରୀକ୍ଷାରୁ ଜଣାପଡ଼ିଛି ଯେ, ପୂର୍ବରୁ ଚିନ୍ତାଜନକ ଥିବା 'ବାଲାଣ୍ଟିଡିୟମ୍ କୋଲାଇ'ର ମାତ୍ରା ଗତକାଲି ତୁଳନାରେ ବେଶ୍ ହ୍ରାସ ପାଇଛି । 

ସେପଟେ, ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଏସଟିଏଫ ତଦନ୍ତ ଜୋର ଧରିଛି । ଏହାକୁ ନେଇ ୩ ରାଜ୍ୟରେ ତଦନ୍ତ କରିବ ଏସଟିଏଫ । ଆସାମ, ମିଜୋରାମ ଏବଂ ମହାରାଷ୍ଟ୍ର ରେ ଯାଇ ତଦନ୍ତ କରିବ । ପୂର୍ବରୁ ମଧ୍ୟ ଏହି ରାଜ୍ୟରେ ବେଆଇନ ଓରାଙ୍ଗଉଟାନ ତସ୍କରୀ ହୋଇଥିବା ସୂଚନା ମିଳିଛି  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।