ନାଇଜର ହଷ୍ଟେଲ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର: ହଷ୍ଟେଲ ଛାତରୁ ପଡି ନାଇଜର ଛାତ୍ରଙ୍କ ମୃତ୍ୟୁ । ଶୁକ୍ରବାର ବିଳମ୍ବିତ ରାତିରେ ଜଟଣୀସ୍ଥିତ ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ’(NISER) ପରିସରରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ମହାରାଷ୍ଟ୍ର ନାଗପୁରର ବିନୟ ସନ୍ନ୍ୟାସୀ ଭେଙ୍କଟ । ସେ ୩ୟ ବର୍ଷର ଇଣ୍ଟିଗ୍ରେଟେଡ୍ MSc ଛାତ୍ର ଥିଲେ ।
ସୂଚନା ଅନୁଯାୟୀ, ବିନୟ ସନ୍ନ୍ୟାସୀ ଭେଙ୍କଟ ୩ୟ ବର୍ଷର ଇଣ୍ଟିଗ୍ରେଟେଡ୍ MSc ଛାତ୍ର ଥିଲେ ଏବଂ କ୍ୟାମ୍ପସ୍ ରେ ଥିବା ଭାଗୀରଥୀ ହଷ୍ଟେଲ୍ ରେ ରହୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଛାତରୁ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳକୁ ଖସି ପଡ଼ିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପାଇ ତୁରନ୍ତ ନାଇଜର କ୍ୟାମ୍ପସ୍ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ଏମ୍ସ (AIIMS) ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ଅଧୀନକୁ ନେଇ ତଦନ୍ତ ଆରମ୍ଭ କରିଛି। ମୃତଦେହ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ରଖାଯାଇଥିବା ବେଳେ ନାଗପୁରରୁ ପରିବାର ସଦସ୍ୟ ଆସିବା ପରେ ଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।