ପ୍ରଶ୍ନ ପତ୍ର ଲିକ ନେଇ ସହିଦ ନଗର ଥାନାରେ ମାମଲା

Sep 19, 2026 - 15:48
ପ୍ରଶ୍ନ ପତ୍ର ଲିକ ନେଇ ସହିଦ ନଗର ଥାନାରେ ମାମଲା

ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ସହିଦ ନଗର ଥାନାରେ ଏତଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ବାଣିଜ୍ୟ (Commerce) ବିଭାଗର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହିଦ ନଗର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି‌ । ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ସହିଦ ନଗର ଥାନାରେ ଏହି ମାମଲା ରୁଜୁ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି‌ । ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଯଦି ତଦନ୍ତରୁ ପ୍ରଶ୍ନପତ୍ର ପ୍ରକୃତରେ ଲିକ୍ ହୋଇଥିବା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବିଷୟର ପରୀକ୍ଷା ବାତିଲ କରାଯାଇ ପୁଣିଥରେ ପରୀକ୍ଷା କରାଯିବ ।

ସୂଚନାନୁସାରେ, ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୩୦୦ଟି କଲେଜ ରେ ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ସମସ୍ତ ପରୀକ୍ଷା । ତେବେ ୧୭ ତାରିଖରେ  ବାଣିଜ୍ୟ ପରୀକ୍ଷା ହେବାକୁ ଥିଲାବେଳେ  ଏହା ପୂର୍ବଦିନ ଅର୍ଥାତ ୧୬ତାରିଖ ରେ ହ୍ୱାଟ୍ସଆପ୍‌ରେ ଗ୍ରୁପ୍ ଏବଂ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ବୁଲୁଥିବା ଅଭିଯୋଗ ହୋଇଥିଲା । ଘଟଣା ଜଣା ପଡିବା ପରେ ପ୍ରଶ୍ନପତ୍ର ଲିକ୍‌ର ପ୍ରକୃତ ଉତ୍ସ ଖୋଜିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଡିଜିଟାଲ୍ ଟ୍ରେଲ୍ ଯାଞ୍ଚ କରିବା ପାଇଁ ସାଇବର ପୋଲିସର ସହାୟତା ମଧ୍ୟ ନିଆଯାଉଛି ।

ପ୍ରଶ୍ନପତ୍ର ଲିକ୍ ଖବର ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟର ପରୀକ୍ଷାର ସ୍ୱଚ୍ଛତାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।