ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

Aug 08, 2026 - 22:36
ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

 ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗତ ଶୁକ୍ରବାର ପାଟପୁର ଥାନାରେ ଏତଲା ଦିଆଯାଇଥିଲା। ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ଥାନା କେସ୍ ନଂ. ୨୨୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।

ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ତ୍ରିନାଥ ଭୋଇ ମୋବାଇଲ ଟ୍ରାକିଂ କରି ଶେରଗଡ଼ରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନାବାଳକକୁ ମଧ୍ୟ କାବୁ କରିଥିଲେ। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମହାଇନା କରାଯାଇଥିଲା ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

ପ୍ରକାଶ ଯେ, ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ନାବାଳିକା ଜଣକ ଅଭିଯୁକ୍ତ ନାବାଳକଙ୍କୁ ଭଲ ପାଉଥିଲେ ଏବଂ ଗତ ପ୍ରାୟ ତିନି ଦିନ ପୂର୍ବେ ସେ ଘରୁ ନିଖୋଜ ହୋଇଯାଇଥିଲେ। ନାବାଳକ ଜଣକ ତାଙ୍କୁ ଶେରଗଡ଼ ନେଇ ସେଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। ପୋଲିସ ତତ୍ପରତା ପ୍ରକାଶ କରି ଉଭୟଙ୍କୁ ଉଦ୍ଧାର କରିଥିବାବେଳେ ରବିବାର ଅଭିଯୁକ୍ତ ନାବାଳକକୁ ବ୍ରହ୍ମପୁର ପି.ଏମ୍. (ଜେ.ଜେ.ବି.)ରେ ହାଜର କରାଯିବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।