ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର : ଦୀର୍ଘ ଦିନ ଧରି ଚାଲିଥିବା ଭତ୍ତା ଯନ୍ତ୍ରଣାର ହେବ ଅନ୍ତ । ଏଣିକି ନୂଆ ହିତାଧିକାରୀ (ମଧୁବାବୁ ପେନସନ ଯୋଜନା (MBPY) ) ଅନ୍ତର୍ଭୁକ୍ତ ଥିଲେ ପାଇପାରିବେ ଭତ୍ତା । ୫ଲକ୍ଷ ୧୨ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସଂକ୍ରାନ୍ତୀୟ ଫାଇଲକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ନୂତନ ଭତ୍ତା ସହିତ ଗତ କିଛି ମାସର ବକେୟା ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଖୁବ୍ଶୀଘ୍ର ଏନେଇ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ । ଏହାପରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତମାସ ୧୫ ତାରିଖ ସୁଦ୍ଧା ଭତ୍ତା ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ଡାଟାବେସ୍ ଏବଂ ପୋର୍ଟାଲ ପ୍ରସ୍ତୁତ ପ୍ରକ୍ରିୟା ଜୋରଦାର ହୋଇଛି। ଏତେ ସଂଖ୍ୟକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ପାଇଁ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ଏକ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବେ।
ଉଲ୍ଲେଖଯୋଗ୍ୟ, ମୌସୁମୀ ବିଧାନସଭା କାଳରେ ବିଧାୟକ ମାନସ କୁମାର ଦତ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାଜ୍ୟରେ ଏବେ ସୁଦ୍ଧା କେତେ ସଂଖ୍ୟକ ଆଶାୟୀ ଭତ୍ତା ପାଇବାପାଇଁ ଆବେଦନ କରିଛନ୍ତି। କେବେ ସୁଦ୍ଧା ଅନୁମୋଦନ ହେବ ଏବଂ ମିଳିବ ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ଗଣ୍ଡ କହିଥିଲେ, ରାଜ୍ୟରେ ଅଦ୍ୟାବଧି ୫ଲକ୍ଷ ୧୪ହଜାର ୨୬୭ଜଣ ଆଶାୟୀ ଭତ୍ତା ପାଇଁ ଅନ୍ଲାଇନରେ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ, ଅକ୍ଟୋବରରୁ ପେନ୍ସନ ଦେବାକୁ ଯୋଜନା ରହିଛି । ଜିଲାରୁ ପ୍ରାପ୍ତ ତଥ୍ୟକୁ ନେଇ ଯାଞ୍ଚ କରାଯାଇ ଭତ୍ତା ପ୍ରଦାନ କରାଯିବ । ତେବେ ଯାଞ୍ଚ ପରେ ପ୍ରାୟ ୨ହଜାର ହିତାଧିକାରୀ ବାଦ୍ ପଡ଼ିବାକୁ ଯାଉଥିବା ଜଣାଯାଇଛି । ତେବେ ଏ ବାବଦକୁ ସରକାର ପ୍ରାୟ ୭୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଭାର ବୋହିବାକୁ ପଡ଼ିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।