ନେପାଳରେ ୨ଟି ହେଲିକପ୍ଟର ମଧ୍ୟରେ ମୁହାଁ-ମୁହିଁ ଧକ୍କା, ଜଣେ ମୃତ ଜଣେ ଆହତ
କାଠମାଣ୍ଡୁ : ଅବତରଣ ବେଳେ ମୁହାଁମୁହିଁ ହେଲେ ଦୁଇଟି ହେଲିକପ୍ଟର । ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ନେପାଳ ଏଭରେଷ୍ଟ ବେସ୍ କ୍ୟାମ୍ପ ନିକଟସ୍ଥ ଫେରୁଚେ ହେଲିପ୍ୟାଡରେ ଅବତରଣ କରୁଥିବା ସମୟରେ 'ଫିସଟେଲ ଏୟାର' ଏବଂ 'ଏୟାର ଡାଇନାଷ୍ଟି' ର ଦୁଇଟି ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ହେଲିକପ୍ଟରର ଫ୍ୟାନ ଦୁଇଟି ପ୍ରଥମେ ଧକ୍କା ହୋଇଥିଲା ଏବଂ ପରେ ପରେ ହେଲିକପ୍ଟର ଧକ୍କା ହୋଇଥିଲା ।
ସୂଚନାନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୧ରେ ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ 'ଫିସଟେଲ ଏୟାର' ଏବଂ 'ଏୟାର ଡାଇନାଷ୍ଟି' ର ଦୁଇଟି ହେଲିକପ୍ଟର ଅବତରଣ ସମୟରେ ଧକ୍କା ହୋଇଥିଲା । ସୋଲୁଖୁମ୍ବୁ ଜିଲ୍ଲାର ଖୁମ୍ବୁ ପାସାଙ୍ଗ ଲାମୁ ପୌରପାଳିକାର ୪ ନମ୍ଵର ୱାର୍ଡ ସ୍ଥିତ ଫେରେଚେରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ ପଟେଲ । ତାଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସିଭିଲ୍ ଆଭିଏସନ୍ ଅଥରିଟି ଅଫ୍ ନେପାଳ ଅନୁଯାୟୀ, ଅବତରଣ ସମୟରେ ଦୁଇଟି ଯାକ ହେଲିକପ୍ଟରର ରୋଟର ବ୍ଲେଡ୍ (ପଙ୍ଖା) ପରସ୍ପର ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।