ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

Oct 05, 2026 - 16:35
ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ ଖର୍ଚ୍ଚରେ ସ୍ୱଚ୍ଛତା  ଆଣିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।

ନିୟମ ଅନୁସାରେ, ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଜର ନିର୍ବାଚନୀ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଖର୍ଚ୍ଚର ହିସାବ ଦାଖଲ କରିବା ସମୟରେ ନିର୍ଦ୍ଧାରିତ ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ।

ପ୍ରାର୍ଥୀଙ୍କଠାରୁ ମିଳିଥିବା ଖର୍ଚ୍ଚ ବିବରଣୀକୁ କଲେଜ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଏହାପରେ ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ହିସାବକୁ HIMS Portalରେ ପ୍ରକାଶ କରିବାକୁ ପଡ଼ିବ। ଫଳରେ ନିର୍ବାଚନୀ ଖର୍ଚ୍ଚ ସମ୍ପର୍କିତ ତଥ୍ୟରେ ସ୍ୱଚ୍ଛତା ରହିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ଦ୍ଧାରିତ ୫ ହଜାର ଟଙ୍କାର ଖର୍ଚ୍ଚ ସୀମା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରିକି ନିର୍ବାଚନ ବାତିଲ ହେବା ଭଳି ପଦକ୍ଷେପ ମଧ୍ୟ ନିଆଯାଇପାରେ।

ଏଥିସହ ନିର୍ବାଚନରେ ରାଜନୈତିକ ଦଳଠାରୁ ଟଙ୍କା ନେବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଛି। ପ୍ରାର୍ଥୀମାନେ କେବଳ ସ୍ୱେଚ୍ଛାକୃତ ଅବଦାନ ମାଧ୍ୟମରେ ଅର୍ଥ ସଂଗ୍ରହ କରିପାରିବେ। ସ୍ୱେଚ୍ଛାକୃତ ଅବଦାନ ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ଟଙ୍କା ଗ୍ରହଣ କରିବାକୁ ଅନୁମତି ରହିବ ନାହିଁ।

ଛାତ୍ର ନିର୍ବାଚନରେ ଅର୍ଥବଳର ପ୍ରଭାବ କମାଇବା, ପ୍ରାର୍ଥୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବା ଦିଗରେ ଏହି ନିୟମକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।