ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

Oct 05, 2026 - 14:05
ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ ଛାତ୍ରଙ୍କୁ ଅନୁଶାସନ ନାଁରେ ଅଧା ଲଣ୍ଡା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସ୍କୁଲର ମୁଖ୍ୟଶିକ୍ଷକ ସମ୍ପୃକ୍ତ ସୁପରିଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

ସୂଚନା ଅନୁସାରେ, ଶନିବାର ସ୍କୁଲରେ ଛାତ୍ରମାନଙ୍କ କେଶ କାଟିବା କାମ ଚାଲିଥିଲା। ଏହି ସମୟରେ କିଛି ଛାତ୍ର ଖେଳୁଥିବା ଅଭିଯୋଗ ହୋଇଛି। ଏଥିରେ ସ୍କୁଲ ସୁପରିଟେଣ୍ଡେଣ୍ଟ ପ୍ରଶାନ୍ତ ମେଶ୍ରାମ ରାଗିଯାଇଥିବା ଏବଂ ଅନୁଶାସନ ନାଁରେ ନାପିତଙ୍କୁ ସମ୍ପୃକ୍ତ ଛାତ୍ରମାନଙ୍କ ଅଧା କେଶ କାଟିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ରହିଛି।

ଅଭିଯୋଗ ଅନୁସାରେ, ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରିମର ଦ୍ୱାରା ପ୍ରାୟ ୮୨ ଜଣ ଛାତ୍ରଙ୍କ ଅଧା କେଶ କାଟି ଦିଆଯାଇଥିଲା। ଛାତ୍ରମାନଙ୍କ ଏଭଳି ହେୟାରକଟ୍‌ର ଫଟୋ ସାମ୍ନାକୁ ଆସିବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଘଟଣାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଉପରିସ୍ଥ କାର୍ଯ୍ୟାଳୟରୁ ସ୍କୁଲକୁ ଫୋନ୍‌ ଆସିଥିବା ଏବଂ ସମସ୍ତ ଛାତ୍ରଙ୍କ କେଶ ସମାନ ଭାବେ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି । ଏହାପରେ ରାତି ପ୍ରାୟ ୧୧ଟାରୁ ପୁଣି କେଶ କାଟିବା କାମ ଆରମ୍ଭ ହୋଇଥିଲା, ଯାହା ରବିବାର ଭୋର ପ୍ରାୟ ୪ଟା ପର୍ଯ୍ୟନ୍ତ ଚାଲିଥିବା ଜଣାପଡ଼ିଛି।

ଅଭିଯୋଗ ଉପରେ ସୁପରିଟେଣ୍ଡେଣ୍ଟ ପ୍ରଶାନ୍ତ ମେଶ୍ରାମ କହିଛନ୍ତି ଯେ, ଏହି ପଦକ୍ଷେପ ଛାତ୍ରମାନଙ୍କ ଭଲ ପାଇଁ ନିଆଯାଇଥିଲା ଏବଂ ଏହା ପଛରେ କୌଣସି ଖରାପ ଉଦ୍ଦେଶ୍ୟ ନଥିଲା। ବର୍ଷା ଯୋଗୁଁ ଦୀର୍ଘ ସମୟ ଧରି ଛାତ୍ରମାନଙ୍କ କେଶ କଟାଯାଇନଥିଲା ଏବଂ କିଛି ଛାତ୍ର ନିୟମିତ ଭାବେ କେଶ ଧୋଉନଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସେ ଯୁକ୍ତି ଦେଇଛନ୍ତି। ତେବେ ଘଟଣାକୁ ନେଇ ସ୍କୁଲର ମୁଖ୍ୟଶିକ୍ଷକ ପ୍ରଶାନ୍ତ ଗିରି ସମ୍ପୃକ୍ତ ସୁପରିଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଅନ୍ୟପକ୍ଷରେ, କେବଳ କାରଣ ଦର୍ଶାଅ ନୋଟିସ୍‌ ଦେଇ ଘଟଣାକୁ ଶେଷ କରାନଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।