ନ୍ୟୁଜିଲାଣ୍ଡ ମାଟିରେ ହୋଶ୍‌ ଉଡ଼ାଇଦେବ ଟିମ୍‌ ଇଣ୍ଡିଆର ରେକର୍ଡ: ୭ ବର୍ଷ ହେଲା….

Oct 21, 2026 - 07:58
ନ୍ୟୁଜିଲାଣ୍ଡ ମାଟିରେ ହୋଶ୍‌ ଉଡ଼ାଇଦେବ ଟିମ୍‌ ଇଣ୍ଡିଆର ରେକର୍ଡ: ୭ ବର୍ଷ ହେଲା….

ନୂଆଦିଲ୍ଲୀ,୨୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳ। ଆସନ୍ତା ୨୨ ଅକ୍ଟୋବରରୁ ପ୍ରଥମ ଟି-୨୦ ମ୍ୟାଚ ସହ ଆରମ୍ଭ ହେବ ଏହି ଗସ୍ତ। ଏହି ଗସ୍ତରେ ଭାରତ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ବୋଲି ଉଲ୍ଲେଖ କରାଯାଇଛି। ତେବେ ନ୍ୟୁଜିଲାଣ୍ଡ ମାଟିରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଭାରତର ରେକର୍ଡ ବେଶ ଦମ୍‌ଦାର ରହିଛି। ୨୦୧୯ ପରଠାରୁ ଭାରତ ନ୍ୟୁଜିଲାଣ୍ଡରେ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ହାରିନାହିଁ। ଏବେ ଏହି ବିଜୟଧାରା ବଜାୟ ରଖିବା ଉପରେ ରହିବ ଟିମ ଇଣ୍ଡିଆର ନଜର।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଯାଏ ୩୧ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତ ୧୯ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ ଟାଇ ରହିଛି। ଏହି ପରିସଂଖ୍ୟାନ ଭାରତର ଶକ୍ତିକୁ ଦର୍ଶାଉଛି। ନ୍ୟୁଜିଲାଣ୍ଡରେ ଉଭୟ ଦଳ ମଧ୍ୟରେ ଏଯାଏଁ ୧୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତ ୫ଟି ମ୍ୟାଚ ଜିତିଥିବା ବେଳେ ୪ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଅନ୍ୟ ୩ଟି ମ୍ୟାଚ ଟାଇ ରହିଛି।

ଟାଇ ରହିଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୨ଟିରେ ସୁପର ଓଭର ଜରିଆରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ସୁପର ଓଭର ମଧ୍ୟ ଟାଇ ରହିଥିଲା। ତେଣୁ ନ୍ୟୁଜିଲାଣ୍ଡ ମାଟିରେ ଦୁଇ ଦଳ ମଧ୍ୟରେ ଲଢ଼େଇ ଅନେକ ସମୟରେ ରୋମାଞ୍ଚକର ରହିଛି। ନ୍ୟୁଜିଲାଣ୍ଡ ମାଟିରେ ଭାରତ ଶେଷ ଥର ପାଇଁ ୧୦ ଫେବ୍ରୁଆରୀ ୨୦୧୯ରେ ଟି-୨୦ ମ୍ୟାଚ ହାରିଥିଲା। ହାମିଲଟନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ ରନ୍‌ରେ ଭାରତକୁ ପରାସ୍ତ କରିଥିଲା।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ଉଇକେଟ ହରାଇ ୨୧୨ ରନ କରିଥିଲା। ଜବାବରେ ଭାରତୀୟ ଦଳ ୨୦୮ ରନ୍‌ରେ ଅଟକି ଯାଇଥିଲା। ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୬ ରନ ଆବଶ୍ୟକ ଥିଲା। କିନ୍ତୁ ଦୀନେଶ କାର୍ତ୍ତିକ ଓ କ୍ରୁଣାଲ ପାଣ୍ଡ୍ୟା ଦଳକୁ ଜିତାଇ ପାରିନଥିଲେ। ସେହି ମ୍ୟାଚ ପରଠାରୁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ଅପରାଜେୟ ରହିଥିବା କୁହାଯାଉଛି।
ଆସନ୍ତା ୨୨ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍‌ରେ ଭାରତ ନିଜର ଦମ୍ଦାର ରେକର୍ଡ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ ଘରୋଇ ପରିବେଶର ଫାଇଦା ଉଠାଇ ଭାରତର ବିଜୟଧାରାରେ ବ୍ରେକ ଲଗାଇବାକୁ ନ୍ୟୁଜିଲାଣ୍ଡ ମଧ୍ୟ ଉଦ୍ୟମ କରିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।