ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ବଡ଼ ସୁରାକ, ମୁଖାପିନ୍ଧା ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ କେସରେ ସାଂଘାତିକ ସୁରାକ୍ । ମୁଖାପିନ୍ଧା ଦୁଷ୍କର୍ମୀକୁ ଚିହ୍ନଟ କଲା ପୋଲିସ୍ । ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ । ସେପଟେ ରିପୋର୍ଟ ତଲବ କଲେ ମହିଳା କମିଶନ । ୨୪ ଘଣ୍ଟା ବିତିଲା । ସିସିଟିଭି ଯାଞ୍ଚ ପରେ ଦୁଷ୍କର୍ମକାରୀ ଚିହ୍ନଟ ବି ହେଲା । ପୀଡିତାଙ୍କ ବୟାନ ପରେ ପୋଲିସ ସାଙ୍ଘାତିକ ସୁରାକ ପାଇଲା । ହେଲେ ଅଭିଯୁକ୍ତ ଏଯାବତ ଧରା ନପଡିବାରୁ ପୁରା ଘଟଣାର ଖୁଲାସା କରିପାରିଲା ନାହିଁ ପୋଲିସ । ବୁଧବାର ରାତିରେ ନୟାପଲ୍ଲୀ ବେହେରା ସାହିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଏଯାଏଁ ଧରିପାରି ନାହିଁ କମିଶନରେଟ ପୋଲିସ । ସେପଟେ ମହିଳା କମିଶନ ଟିମ, ଥାନା ଓ କ୍ରାଇମ ସ୍ପଟରେ ପହଞ୍ଚି ପୀଡିତାଙ୍କ ସହ ଆଲୋଚନା ପରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଘଟଣାର ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତାଗିଦ କରିଛନ୍ତି କମିଶନ । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମର ତଦନ୍ତ ବେଳେ ଅନେକ ଦିଗରୁ ସୁରାକ ମିଳିଛି । ସିସିଟିଭି ଯାଞ୍ଚ ଓ ପଡ଼ୋଶୀଙ୍କୁ ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ଦୁଇଦିନ ପୂର୍ବରୁ କ୍ରାଇମ ସ୍ପଟରେ ବୁଲୁଥିବା ଜାଣିବାକୁ ପାଇଛି ପୋଲିସ୍ । ତେଣୁ ଯୁବତୀଙ୍କ ସହ ପୂର୍ବରୁ ତାଙ୍କର ସମ୍ପର୍କ ନେଇ ଖୋଳତାଡ଼ ହେଉଛି । ପୀଡିତାଙ୍କ ଡାକ୍ତରୀମାଇନା ପରେ ବୟାନ ରେକର୍ଡ ହୋଇଛି । କିନ୍ତୁ ମୁଖା ପିନ୍ଧିଥିବାରୁ ପୀଡିତା ତାଙ୍କୁ ଚିହ୍ନିନଥିବା ଉଭୟ ପୋଲିସ ଓ କମିଶନଙ୍କ ନିକଟରେ ପ୍ରକାଶ କରିଛନ୍ତି । ଏ ବୟାନ ର ସତ୍ୟାସତ୍ୟ ଯାଞ୍ଚ ଚାଲିଛି । ନୟାପଲ୍ଲୀ ଭଳି ଜନଗଣଳିପୂର୍ଣ୍ଣ ସ୍ଥାନ । ଚାରିଆଡେ ଭିଭିଆଇପିଙ୍କ ଘର । ଚତୁଃପାର୍ଶ୍ଵରେ ସିସିଟିଭି । କିନ୍ତୁ ଏସବୁକୁ ଖାତିର ନକରି ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିବା ଘଟଣା ସଭିଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।