ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା
ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ନୀଳମାଧବ ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ବକ୍ତାମାନେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ସ୍ୱପ୍ନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ ସ୍ୱପ୍ନକୁ ସାକାର କରିବା ଦିଗରେ ଦଳୀୟ କର୍ମୀମାନେ ଲୋକଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ବକ୍ତାମାନେ କହିଥିଲେ। ବୁଥ୍ସ୍ତର ପର୍ଯ୍ୟନ୍ତ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସଫଳତା ସମ୍ପର୍କରେ ଘରେ ଘରେ ପ୍ରଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ମଣ୍ଡଳସ୍ତରରେ କାର୍ଯ୍ୟକାରିଣୀ ବୈଠକ କରି ସଂଗଠନକୁ ଅଧିକ ସକ୍ରିୟ କରିବା, ଯୁବକ, ମହିଳା ଓ କୃଷକଙ୍କ ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା।
ବୈଠକରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥି, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଭାଜପା ନେତା ବିଷ୍ଣୁ ପ୍ରସାଦ ପ୍ରଧାନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରାଜ୍ୟ କୃଷକ ମୋର୍ଚ୍ଚା ସୋସିଆଲ ମିଡିଆ ପ୍ରମୁଖ ପ୍ରଦୀପ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭୋଳି ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ନେତା ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।