ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ
ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ ବୁଧବାର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣ ଯନ୍ତ୍ରୀ ଓ ଜଣେ ଠିକାଦାରଙ୍କୁ ପଚରାଉଚରା ପାଇଁ ନେଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ପାରଳାଖେମୁଣ୍ଡି ପୌରପରିଷଦର ତତ୍କାଳୀନ ଯନ୍ତ୍ରୀ ତଥା ବର୍ତ୍ତମାନ ଗୁଣପୁର ଏନ୍ଏସିରେ କାର୍ଯ୍ୟରତ ଡି. ଯୁଧିଷ୍ଠିରଙ୍କୁ ଗୁଣୁପୁରରୁ, ପୌରପରିଷଦର ଏମଇ ସଞ୍ଜିବ ଚମ୍ପତ୍ତିଙ୍କୁ କାର୍ଯ୍ୟାଳୟରୁ ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ନେଇଛି। ଅତିରିକ୍ତ ଭିଜିଲାନ୍ସ ଅଧୀକ୍ଷକ ଏଲ.ଡି. ସ୍ବାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଚଳାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ୨୦୦୯ରୁ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ କୋଟି ୧୧ ଲକ୍ଷ ୫ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ପଙ୍କଉଦ୍ଧାର, ରିଟେନିଂ ଓ୍ବାଲ, କଂକ୍ରିଟ ବ୍ଲକ ପିଚିଂ, ଗାଧୁଆ ତୁଠ ନିର୍ମାଣ ସମେତ ବିଭିନ୍ନ କାମ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଦୀର୍ଘବର୍ଷ ଧରି ବନ୍ଧଟି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ସହ ଅଞ୍ଚଳରେ ପରିବେଶ ପ୍ରଦୂଷଣର କାରଣ ପାଲଟିଥିବା ଅଭିଯୋଗ ହୋଇଆସୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।