ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଇଂରାଜୀ ତାରିଖ ସେପ୍ଟେମ୍ବର ୧୫
ସମ୍ବଲପୁର:ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଇଂରାଜୀ ତାରିଖ ସେପ୍ଟେମ୍ବର ୧୫, ମଙ୍ଗଳବାର, ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ନ ୯ଟା ୪୦ ରୁ ୯ ଟା ୫୪ ମଧ୍ୟରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ଠାରେ ନବାନ୍ନ ଲାଗି ହେବ l ଏହା ପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥି ପାଇଁ ଶନିବାର ପରମ୍ପରା ଅନୁଯାୟୀ, ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି l ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ର ପରବର୍ତ୍ତୀ ଦିନ ଅର୍ଥାତ ନାନ୍ଦୋତ୍ସବ ଅବସର ରେ ଏଠାରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରା ଯିବାର ପରମ୍ପରା ରହିଛି l
ଆଜି ଅପରାହ୍ନ ସାଢେ ୪ ଟା ସମୟ ରେ ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ମାନେ ଏକାଠି ହୋଇ ଥିଲେ l ଏହା ପରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା l ପରେ ମାଁ ସମଲେଶ୍ୱରୀ ଙ୍କ ଜାତକ, ରାଶି, ନକ୍ଷତ୍ର ଅନୁସାରେ ଚଳିତ ବର୍ଷ ର ନୂଆଁଖାଇ ପାଇଁ ଏହି ଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା l ଶୁଭଲଗ୍ନ ଧାର୍ଯ୍ୟ ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପଣ୍ଡିତ ମାନଙ୍କ ଏକ ପ୍ରତିନିଧି ମଣ୍ଡଳ ସମଲେଶ୍ୱରୀ ମନ୍ଦିର କୁ ଯାଇ ନୂଆଁଖାଇ ର ଲଗ୍ନ ପତ୍ର ଟ୍ରଷ୍ଟ ବୋର୍ଡ କୁ ପ୍ରଦାନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।