ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

Aug 31, 2026 - 12:55
ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବର ୨୦୨୬ର ପ୍ରଥମ ୧୫ ଦିନ, ଅର୍ଥାତ୍ ୧ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବଜାରକୁ ୧୩ ଲକ୍ଷ ଟନ୍ ଚିନି ଛାଡ଼ିବା ପାଇଁ ଚିନି କଳଗୁଡ଼ିକୁ କୋଟା ଜାରି କରାଯାଇଛି । ଏଥିସହ ଚିନି ବିକ୍ରି ନିୟମକୁ ମଧ୍ୟ ଅଧିକ କଡ଼ା କରାଯାଇଛି ।

ପୂର୍ବରୁ ଚିନି କଳଗୁଡ଼ିକୁ ସରକାର ଦେଇଥିବା କୋଟାର ଚିନି ଖୋଲା ବଜାରରେ ବିକ୍ରି କରିବା ପାଇଁ ୩୦ ଦିନ ସମୟ ମିଳୁଥିଲା। ଏବେ ନୂଆ ନିୟମ ଅନୁସାରେ, ରିଲିଜ୍ ଅର୍ଡର ମିଳିବାର ୭ ଦିନ ମଧ୍ୟରେ ଆବଣ୍ଟିତ ଚିନି ବଜାରରେ ବିକ୍ରି କରିବାକୁ ପଡ଼ିବ। ଏହା ଦ୍ୱାରା ଚିନି କଳଗୁଡ଼ିକ ଅଧିକ ଲାଭ ଆଶାରେ ଚିନି ମହଜୁଦ କରି ରଖିପାରିବେ ନାହିଁ। ଫଳରେ ବଜାରରେ ଚିନିର ଯୋଗାଣ ନିରନ୍ତର ରହିବାର ସମ୍ଭାବନା ରହିଛି। ରିଲିଜ୍ ଅର୍ଡର ହେଉଛି ସରକାରଙ୍କ ପକ୍ଷରୁ ଚିନି କଳଗୁଡ଼ିକୁ ଦିଆଯାଉଥିବା ଏକ ସରକାରୀ ଅନୁମତି। ଏହା ମାଧ୍ୟମରେ ସରକାର ନିର୍ଦ୍ଧାରଣ କରନ୍ତି ଯେ କେଉଁ ଚିନି କଳ କେତେ ପରିମାଣର ଚିନି ବଜାରରେ ବିକ୍ରି କରିବ।

ସମସ୍ତ ଚିନି କଳ ଏକାଥରକେ ବହୁ ପରିମାଣରେ ଚିନି ବଜାରକୁ ଛାଡ଼ିଲେ ଦର ହଠାତ୍ କମିଯାଇପାରେ। ଅନ୍ୟପଟେ ଚିନି ମହଜୁଦ କରି ରଖିଲେ ବଜାରରେ ଅଭାବ ସୃଷ୍ଟି ହୋଇ ଦର ବଢ଼ିପାରେ। ତେଣୁ ଯୋଗାଣ ଓ ଚାହିଦା ମଧ୍ୟରେ ସନ୍ତୁଳନ ରଖିବାରେ ରିଲିଜ୍ ଅର୍ଡର ଗୁରୁତ୍ୱପୂର୍ଣ୍ଣ।

ସେପ୍ଟେମ୍ବର ଆରମ୍ଭରେ ଗଣେଶ ଚତୁର୍ଥୀ ଓ ଓନମ୍ ଭଳି ବଡ଼ ପର୍ବ ଆସୁଛି। ଏହି ସମୟରେ ମିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପାଇଁ ଚିନିର ଚାହିଦା ବଢ଼ିଯାଏ। ତେଣୁ ୧୫ ଦିନ ମଧ୍ୟରେ ୧୩ ଲକ୍ଷ ଟନ୍ ଚିନି ବଜାରକୁ ଆସିବା ଦ୍ୱାରା ଯୋଗାଣ ବଜାୟ ରହିବ ବୋଲି ଆଶା କରାଯାଉଛି। ଏହାର ପ୍ରଭାବରେ ପାର୍ବଣ ସମୟରେ ଚିନି ଦର ଉପରେ ଚାପ କମିପାରେ। କେବଳ ଚିନି କଳ ନୁହେଁ, ମିଠା ଓ କୋଲ୍ଡ ଡ୍ରିଙ୍କ୍ସ ଉତ୍ପାଦନ କରୁଥିବା ବଡ଼ ଥୋକ କ୍ରେତାଙ୍କ ଉପରେ ମଧ୍ୟ ସରକାର ନଜର କଡ଼ା କରିଛନ୍ତି। ସେମାନେ ୧୫ ଦିନରୁ ଅଧିକ ସମୟ ପାଇଁ ଚିନି ମହଜୁଦ କରି ରଖିପାରିବେ ନାହିଁ। ଏହି ନିୟମ ନଭେମ୍ବର ଶେଷ ପର୍ଯ୍ୟନ୍ତ ଲାଗୁ ରହିବ।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବଜାରରେ ପର୍ଯ୍ୟାପ୍ତ ଚିନି ଯୋଗାଣ ବଜାୟ ରଖିବା ଏବଂ ଅତ୍ୟଧିକ ମହଜୁଦକାରୀ ରୋକିବା। ଏହା ଫଳରେ ଆଗାମୀ ପାର୍ବଣ ଋତୁରେ ଚିନି ଦର ନିୟନ୍ତ୍ରଣରେ ରହିବା ସହ ମିଠାର ଦର ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିପାରେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।